ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି। ଧର୍ମଶାଳା ତହସିଲ ପକ୍ଷରୁ ୩ ରାଜସ୍ବ ନୀରିକ୍ଷକ ଓ ବ୍ୟକ୍ତିଗତ ଅମିନ ପନ୍ତୁରି ଫାର୍ମ ହାଉସର ମାପଚୁପ କାମରେ ନିୟୋଜିତ ହୋଇଛନ୍ତି।
ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ପୂର୍ବତନ ବିଧାୟକ ପ୍ରଣବଙ୍କ ଫାର୍ମ ହାଉସ ନିର୍ମାଣ ହୋଇଛି। ଫାର୍ମ ହାଉସ ଜମି ଭିତରେ ସରକାରୀ ଜମି ଥିବା ଅଭିଯୋଗ ହେବାପରେ ଧର୍ମଶାଳା ତହସିଲ ପକ୍ଷରୁ ତଦନ୍ତ କରାଯାଇ ପୂର୍ବତନ ବିଧାୟକଙ୍କୁ ୧୯୧୨/୨୦୨୫ ନମ୍ବରରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାର କିଛିଦିନ ପରେ ନିଜ ଫାର୍ମ ହାଉସରେ ଥିବା ଘରର ଛାତ ଖୋଲା ଯାଇଥିବା ଦେଖିବାକୁ ମିଳିଥିଲା। ଫାର୍ମହାଉସରେ ରଖାଯାଇଥିବା ଛେଳିଙ୍କୁ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଆବଶ୍ୟକତାଠାରୁ ଅଧିକ ସରକାରୀ ଜମିକୁ ଜବରଦଖଲ କରିଥିବା ଅଭିଯୋଗ ପ୍ରଣବଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଯଦି ସେ ଫାର୍ମ ହାଉସ ନିଜ ଜମିରେ କରିଛନ୍ତି ତେବେ ରାତି ଅଧିଆ ଫାର୍ମ ହାଉସ ଘରର ଛପର ନିଜେ ଭାଙ୍ଗି କାହିଁକି ନେଇଗଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା।
ଫାର୍ମହାଉସ ମାପଚୁପରେ ସରକାରୀ ଜମି ଥିବା ବାହାରେ ପାଚେରି ଭାଙ୍ଗିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ମାପ କେତେ ଦିନ ଧରି ଚାଲିବ ତାହା ଜଣା ପଡିନାହିଁ। ପାଚେରି ବାହାରେ ତାଙ୍କର ଆହୁରି ଜମାବନ୍ଦି ଜମି ରହିଥିବା ପୂର୍ବତନ ବିଧାୟକ ପ୍ରଣବ କହିଥିବା ବେଳେ ମାପଚୂପ ପରେ ତାହା କାହା ଦଖଲରେ ରହିଛି ସ୍ପଷ୍ଟ ହେବ। ସରକାରୀ ତଦନ୍ତ ପରେ ଏହି ମୌଜାରେ ଜାଲିଆତି କରି ଏକରଏକର ଜମିକୁ ହଡପ କରିଥିବା ଅନେକ ଲୋକଙ୍କ ଭିତରେ ଛନକା ପଶିଛି। ସରକାରୀ ଜମି କାହାଠାରୁ କ୍ରୟ କଲେ କିମ୍ବା ପାଇଲେ ତାହାର ସାବକ ରେକର୍ଡ କ’ଣ ରହିଛି ଏବଂ ସେମାନେ ଫର୍ଜି କାଗଜକୁ ବୈଧ ଦର୍ଶାଇ ହାତେଇଛନ୍ତି କି ବୋଲି ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ତହସିଲଦାର ସମୀର ରଞ୍ଜନ ଦାସଙ୍କୁ ପଚାରିବାରେର ସେ କହିଛନ୍ତି, ଫାର୍ମହାଉସର ମାପଚୁପ ପରେ ଅଭିଯୋଗର ସତ୍ୟାତା ପର୍ଦ୍ଦାଫାସ ହୋଇପାରିବ ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।