ବେଙ୍ଗାଲୁରୁ,୨।୮: ଜନତା ଦଳ (ସେକ୍ୟୁଲାର)ର ନିଲମ୍ବିତ ନେତା ତଥା ପୂର୍ବତନ ଏମ୍ପି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବଗୌଡାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କ ଅଡୁଆ ବଢିଛି। ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର କୋର୍ଟ ଘରୋଇ ସହାୟିକାଙ୍କୁ ବଳାତ୍କାର ମାମଲାରେ ପ୍ରଜ୍ୱଳଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। ଏହା ସହିତ ଅଦାଲତ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ପୂର୍ବରୁ ଶୁକ୍ରବାର ଦିନ ଅଦାଲତ ଏହି ମାମଲାରେ ପ୍ରଜ୍ୱଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ବିଚାରପତି ଗଜାନନ ଭଟ୍ଟ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି।
ଗତ ବର୍ଷ ଘରୋଇ ସହାୟିକା ପ୍ରଜ୍ୱଳ ରେବନ୍ନାଙ୍କ ବିରୁଦ୍ଧରେ ଚାରିଟି ମାମଲା ରୁଜୁ କରିଥିଲେ। ଶୁକ୍ରବାର ଅଦାଲତ ଏହି ଚାରି ମାମଲାରେ ରେବନ୍ନାଙ୍କୁ ଦୋଷୀ ଘୋଷଣା କରିଛନ୍ତି। ପୀଡିତାଙ୍କ ସମସ୍ତ ଅଭିଯୋଗ ଅଦାଲତରେ ସତ ପ୍ରମାଣିତ ହୋଇଥିଲା। ବିଚାରପତି ସନ୍ତୋଷ ଗଜାନନ ଭଟ୍ଟ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଘୋଷଣା କରିଛନ୍ତି।
ତେବେ ଅଭିଯୋଗକାରୀ ପକ୍ଷ ୧୬୩୨ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ, ଯେଉଁଥିରେ ଇଲେକ୍ଟ୍ରୋନିକ ଓ ଅଣ-ଇଲେକ୍ଟ୍ରୋନିକ ପ୍ରମାଣ ସହ ୧୮୩ଟି ଦଲିଲ ଉପସ୍ଥାପନ କରାଯାଇଥିଲା। ଏହା ସହିତ ପୀଡିତାଙ୍କ ପରିବାର ଓ ୨୬ ଜଣ ସାକ୍ଷୀଙ୍କଠାରୁ ପଚରାଉଚରା କରାଯାଇଥିଲା। ଅଦାଲତ ଏହି ମାମଲାରେ ୨ ମେ’ରୁ ନିରନ୍ତର ଶୁଣାଣି କରି ଶୀଘ୍ର ନିଷ୍ପତ୍ତି ନେବାକୁ ଚେଷ୍ଟା କରିଥିଲେ।
କହିରଖୁଛୁ, ଏହି ମାମଲା ତୁମୁଳକାଣ୍ଡ ସୃଷ୍ଟି କରିଥିଲା, ଯେତେବେଳେ ପ୍ରଜ୍ୱଳଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ୨୬ ଏପ୍ରିଲ ୨୦୨୪ରେ ହାସନରେ ଲୋକ ସଭା ର୍ନିବାଚନ ପୂର୍ବରୁ ପ୍ରସାରିତ ହୋଇଥିଲା। ଏସ୍ଆଇଟି ହୋଲେନାରସୀପୁରା ଟାଉନ ଥାନାରେ ରୁଜୁ ଏକ ମାମଲାରେ ପ୍ରଜ୍ୱଳଙ୍କୁ ଗତ ବର୍ଷ ୩୧ ମେ’ରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଗିରଫ କରିଥିଲା, ଯେତେବେଳେ ସେ ଜର୍ମାନୀରୁ ଫେରିଥିଲେ। ପ୍ରଜ୍ୱଳ ୨୦୨୪ ଲୋକ ସଭା ନିର୍ବାଚନରେ ହାସନ ସଂସଦୀୟ କ୍ଷେତ୍ରରୁ ପରାଜିତ ହୋଇଥିଲେ। ପରେ ଜନତା ଦଳ (ସେକ୍ୟୁଲାର) ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।
ଶୁକ୍ରବାର ଶୁଣାଣି ସମୟରେ ପ୍ରଜ୍ୱଳ ସ୍ପଷ୍ଟ ରୂପେ ଭୟଭୀତ ହୋଇଯାଇଥିବା ଦେଖାଯାଇଥିଲା। ବିଚାରପତି ତାଙ୍କୁ ଦୋଷୀ ଘୋଷଣା କରିବା ପରେ ସେ କାନ୍ଦି ପକାଇଥିଲେ। ଏପରିକି ତାଙ୍କୁ କମ୍ ଦଣ୍ଡ ଦେବାକୁ ନିବେଦନ କରିଥିଲେ। ଏପରିକି ଦଣ୍ଡ ଘୋଷଣା ପୂର୍ବରୁ ପ୍ରଜ୍ୱଳଙ୍କର ଶେଷ ବୟାନରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଚାଲିଥିଲେ। ତେବେ ଏହି ମାମଲାର ଶୁଣାଣି ୧୮ ଜୁଲାଇରେ ସମାପ୍ତ ହୋଇଥିଲା ଏବଂ ନିଷ୍ପତ୍ତି ୩୦ ଜୁଲାଇ ପାଇଁ ସୁରକ୍ଷିତ ରଖାଯାଇଥିଲା। କିନ୍ତୁ ବିଚାରପତି ମୋବାଇଲ ଲୋକେସନ ଡାଟା ଓ ଅନ୍ୟାନ୍ୟ ବୈଷୟିକ ପ୍ରମାଣ ଉପରେ ସ୍ପଷ୍ଟୀକରଣ ମାଗିବା ପରେ ନିଷ୍ପତ୍ତିକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।