ପ୍ରଗତିବାଦୀ ଚେତନା ଓ କାଳିନ୍ଦୀଚରଣ

ପ୍ରଫୁଲ୍ଲ କୁମାର ସାହୁ

 

“ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ ମାନ, ଆମ ଝିଅ ବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର ଯିଏ ବାଢ଼ିଛନ୍ତି, ସେ ହେଉଛନ୍ତି ପ୍ରଗତିବାଦୀ ଚେତନାରେ ଅବଗାହୀ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ। ଓଡ଼ିଆ ସାହିତ୍ୟର ପ୍ରାୟତଃ ପ୍ରତ୍ୟେକ ବିଭାଗରେ ତାଙ୍କର ସଶ୍ରଦ୍ଧ ପ୍ରବେଶ ଏବଂ ସବୁଠି ମଧ୍ୟ ସିଦ୍ଧିର ସ୍ବାକ୍ଷର।
ପୁରୀ ସ୍କୁଲରେ ପଢୁଥିବା ବେଳେ ସେ ଲେଖିଥିଲେ ତାଙ୍କର ପ୍ରଥମ କବିତା ‘ବନ୍ଦନା’, ଯାହା ପ୍ରକାଶ ପାଇଥିଲା ‘ଛାତ୍ର ଦର୍ପଣ’ ପତ୍ରିକାରେ। ପତ୍ରିକାଟି ଯେଉଁଦିନ ପୁରୀ ହେରାଗୋହିରୀ ସାହିର ସାମନ୍ତ ଚନ୍ଦ୍ରଶେଖର ହଲ୍‌ରେ ଅନୁଷ୍ଠିତ ଛାତ୍ରସଭାରେ ଉନ୍ମୋଚିତ ହେଲା, ସେହିଦିନ କବିଙ୍କୁ ମିଳିଥିଲା ପରିଚୟ। କାରଣ ପଣ୍ତିତ ଗୋପବନ୍ଧୁ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସେହି ସଭାରେ ଅନ୍ୟତମ ଅତିଥି ଭାବେ ପଣ୍ତିତ ନୀଳକଣ୍ଠ ଉପସ୍ଥିତ ଥିଲେ ଏବଂ ପତ୍ରିକାଟି ପଢୁ ପଢୁ ତାଙ୍କ ଆଖି ଅଟକି ଯାଇଥିଲା କାଳିନ୍ଦୀ ଚରଣଙ୍କ କବିତା ପାଖରେ। ଭରା ସଭାରେ ସେ ରଚୟିତାଙ୍କୁ ଖୋଜିଥିଲେ। ସେହି ପ୍ରେରଣାଦାୟୀ ଘଟଣା ଛାତ୍ର କାଳିନ୍ଦୀଚରଣଙ୍କ ଭିତରେ ଭରିଦେଇଥିଲା ଗଭୀର ଆତ୍ମବିଶ୍ବାସ।
ପିଲାଦିନେ ମାଆଙ୍କଠାରୁ ଗୀତ ଶୁଣିଶୁଣି ସେ ପାଇଥିଲେ କବିତା ଲେଖିବାର ପ୍ରେରଣା। ପୁରୀରେ ପଢୁଥିବା ବେଳେ ପଣ୍ତିତ ଗୋପବନ୍ଧୁ ଦାସ ତାଙ୍କୁ ବୁଝେଇ ଦେଇଥିଲେ କବିତା ଲେଖିବାର ଅର୍ଥ ଓ ଉଦ୍ଦେଶ୍ୟ ା ସେତେବେଳେ ଗୋପବନ୍ଧୁଙ୍କୁ ସେ ଆଦର୍ଶ ବୋଲି ମାନୁଥିଲେ ଏବଂ ତାଙ୍କ ପାଖରୁ ଶିଖିଥିଲେ ସେବା, ତ୍ୟାଗ, ଦେଶପ୍ରେମ ତଥା ଗାନ୍ଧିବାଦର ମନ୍ତ୍ର।
ତାଙ୍କ ପଥୁରିଆ ସାହି ବସାଘରକୁ ନିୟମିତ ଯିବା ଅବସରରେ ପ୍ରସଙ୍ଗ କ୍ରମେ ଗୋପବନ୍ଧୁ ଥରେ କହିଥିଲେ, ତାକୁ ହିଁ ସାହିତ୍ୟ କୁହାଯାଏ, ଯାହା ଛୁଇଁପାରେ ସାକ୍ଷର ନିରକ୍ଷର ସମସ୍ତଙ୍କୁ। ତେଣୁ ପ୍ରକୃତରେ ଯିଏ ସାହିତି୍ୟକ ହେବାକୁ ଚାହେଁ ସେ ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ିବା ଉଚିତ। ଗୋପବନ୍ଧୁଙ୍କ ପରାମର୍ଶ କ୍ରମେ ଭାଗବତ ପଢୁଥିବା କାଳିନ୍ଦୀଚରଣ ରେଭେନ୍‌ଶା କଲେଜରେ ପଢ଼ିବା ବେଳେ ସେ ବିଶ୍ବକବି ରବୀନ୍ଦ୍ରନାଥଙ୍କ କବିତା ସଂସ୍ପର୍ଶରେ ଆସିବା ଯୋଗୁ ତାଙ୍କ କବିପ୍ରାଣକୁ ଆଚ୍ଛନ୍ନ କଲା ବିଶୁଦ୍ଧ ରୋମାଣ୍ଟିକ ପ୍ରବଣତା। ଅନ୍ନଦାଶଙ୍କର ରାୟ ଓ ବୈକୁଣ୍ଠନାଥ ପଟ୍ଟନାୟକ ପ୍ରମୁଖ ସହପାଠୀ ତଥା ସମଭାବାପନ୍ନ କବିଙ୍କୁ ଏକାଠି କରି ଗଠନ କଲେ ‘ନନ୍‌ସେନ୍ସ କ୍ଲବ’ ଏବଂ ସେମାନଙ୍କ ମିଳିତ ଉଦ୍ୟମରେ ପ୍ରକାଶ ପାଇଲା ହାତଲେଖା ପତ୍ରିକା ‘ଅବକାଶ’। ଏହି ଅବସରରେ ସୌନ୍ଦର୍ଯ୍ୟ ଉପାସନା ତଥା ରୋମାଣ୍ଟିକ ଚେତନାକୁ ନେଇ ପ୍ରକାଶ ପାଇଲା ପର୍ଯ୍ୟାପ୍ତ ପରିମାଣର କବିତା। ଏହି ଆଧାରରେ ଆତ୍ମପ୍ରକାଶ କଲା ‘ସବୁଜ ସାହିତ୍ୟ’ ନାମରେ ଏକ ସ୍ବତନ୍ତ୍ର ସାରସ୍ବତ ପରିମଣ୍ଡଳ। ସବୁଜ ସାହିତ୍ୟର ଅଗ୍ରଗଣ୍ୟ ସ୍ରଷ୍ଟା କାଳିନ୍ଦୀଚରଣଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ସବୁଜ ସାହିତ୍ୟ ସମିତିର ମୁଖପତ୍ର ‘ଯୁଗବୀଣା’। କେବଳ କବିତା ନୁହେଁ, ସବୁଜ ସ୍ରଷ୍ଟାମାନଙ୍କ ଦ୍ବାରା ‘ବାସନ୍ତି’ ନାମରେ ଏକ ଉପନ୍ୟାସ ଲେଖା ଆରମ୍ଭ ହେଲା ଏବଂ ତାହା ଧାରାବାହିକ ଭାବରେ ପ୍ରକାଶ ପାଇଲା ‘ଉତ୍କଳ ସାହିତ୍ୟ’ରେ। ‘ବାସନ୍ତି’ ଥିଲା ଓଡ଼ିଆ ସାହିତ୍ୟର ପ୍ରଥମ ଓ ଏକମାତ୍ର ଉପନ୍ୟାସ, ଯାହାକୁ ମିଳିତ ଭାବେ ଲେଖୁଥିଲେ କାଳିନ୍ଦୀଚରଣ ଓ ଅନ୍ୟ ଆଠ ଜଣ ଲେଖକ ଓ ଲେଖିକା।
ମାତ୍ର ଦୀର୍ଘକାଳ ନୁହେଁ, କେବଳ ଗୋଟାଏ ଦଶନ୍ଧି ମଧ୍ୟରେ ନିଜର ତେଜ ହରେଇ ବସିଲା ସବୁଜ ସାହିତ୍ୟ। ତା’ର ଅତୀନ୍ଦ୍ରିୟ କାର୍ଯ୍ୟ ଚେତନା ଓ ରହସ୍ୟମୟ ଅସ୍ପଷ୍ଟତାକୁ ନେଇ ପାଠକ ପ୍ରାଣରେ ଅବସାଦ ବଢୁଥିବା ବେଳେ ଗଣଚେତନାକୁ ଉଦ୍‌ବେଳିତ କରି ଉଭାହେଲା ପ୍ରଗତିଶୀଳ ସାହିତ୍ୟ ଚେତନା। କାଳିନ୍ଦୀଚରଣଙ୍କ ସାନ ଭାଇ ଭଗବତୀଚରଣଙ୍କ ନେତୃତ୍ୱରେ ଗଢ଼ାହେଲା(୧୯୩୫) ‘ନବଯୁଗ ସାହିତ୍ୟ ସଂସଦ’। ପ୍ରକାଶ ପାଇଲା ତା’ର ମୁଖପତ୍ର ‘ଆଧୁନିକ’। ପ୍ରଗତିଶୀଳ ସାହିତ୍ୟର ପାଠକୀୟତା ଧକ୍କାରେ ଭାଙ୍ଗିପଡ଼ିଲା ସବୁଜ ଗୋଷ୍ଠୀର ସ୍ବପ୍ନର ମିନାର। ପ୍ରେମ ଓ ସୌନ୍ଦର୍ଯ୍ୟର ନିରାଜନା କରୁଥିବା କବି କାଳିନ୍ଦୀଚରଣଙ୍କୁ ପ୍ରଲୁବ୍ଧ କଲା ପ୍ରଗତିଶୀଳ ସାହିତ୍ୟର ସାମାଜିକ ବାସ୍ତବତା। ତେଣୁ ସବୁଜ ପରୀର ଅଞ୍ଚଳ ତଳୁ ମୁହଁ କାଢ଼ି ସେ ଆଗ୍ରହରେ ନିମଜ୍ଜିଗଲେ ବାସ୍ତବବାଦୀ କାବ୍ୟସ୍ବର ଭିତରେ। ଧାର୍ମିକ ଯୁକ୍ତିହୀନତା, ନିଷ୍କ୍ରିୟତା ତଥା ଧନତାନ୍ତ୍ରିକ ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଯାଇ ଲେଖିଲେ-”କବିତା ଗଢ଼େ ଏକ ବିରାଟ ସମାଜର, ସବୁରି ପାଇଁ ଯହିଁ ବଖୁରେ ହେଲେ ଘର“(ଆଗାମୀ) ା
କାଳିନ୍ଦୀଚରଣ ସବୁଜରୁ ସମାଜବାଦୀ ଚେତନା ଆଡ଼କୁ ଢଳିବା ବେଳକୁ ଭାରତୀୟ ରାଜନୀତି ତଥା ସାହିତ୍ୟକୁ ସମ୍ପୂର୍ଣ୍ଣ କବଳିତ କରିସାରିଥିଲେ ବିଶ୍ବର ଦୁଇ ମହାନାୟକ ମାର୍କ୍ସ ଓ ଗାନ୍ଧୀ। ଗୋଟିଏ ପଟରେ ମାର୍କ୍ସଙ୍କର ବୈପ୍ଳବିକ ଚେତନା ଓ ଅନ୍ୟପଟରେ ଗାନ୍ଧିଜୀଙ୍କର ଅହିଂସା ନୀତି। କବି କାଳିନ୍ଦୀଚରଣ ମାର୍କ୍ସବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଦୁଘର, ଛୁରିଟିଏ ଲୋଡ଼ା, କିଏ ଶଳା ସଇତାନ ଆଦି କବିତା ଗ୍ରନ୍ଥ ଲେଖିଥିବା ବେଳେ ଜଣେ ଗାନ୍ଧିବାଦୀ ଭାବରେ ସତ୍ୟ ଓ ଅହିଂସାର ଜୟଗାନ କରି ଗାନ୍ଧାରୀର ଆଶୀର୍ବାଦ କବିତାରେ ଲେଖିଛନ୍ତି-‘ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ’। ଅର୍ଥାତ୍‌ ତାଙ୍କ କାବ୍ୟସ୍ବର ପରିପୁଷ୍ଟ ହୋଇନି ନିର୍ଦ୍ଦିଷ୍ଟ ଏକ ଚିନ୍ତାର କ୍ରମିକ ଅବଧାବନରେ। ମାତ୍ର ଚିନ୍ତାର ବିବିଧତା ସତ୍ତ୍ବେ ତାଙ୍କ କାବ୍ୟ ଚେତନା ଦେଇ ଅଙ୍କୁରିତ ହୋଇଛି ଓଡ଼ିଆ କବିତାର ଏକ ନୂଆ ସ୍ବର।
କେବଳ କାବ୍ୟ ଜଗତ ନୁହେଁ, ତାଙ୍କ ବିପୁଳ କଥା ସୃଷ୍ଟି ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ମୁକ୍ତାଗଡ଼ର କ୍ଷୁଧା ଓ ଅମରଚିତା ଆଦି ଉପନ୍ୟାସ ପାଖରୁ ଦ୍ବାଦଶୀ, ସାଗରିକା, ରାଶିଫଳ ଓ ମୋ କଥାଟି ସରିନାହିଁ ଆଦି ଗଳ୍ପଗ୍ରନ୍ଥ ପର୍ଯ୍ୟନ୍ତ ପରିବ୍ୟାପ୍ତ ଓ ମହିମା ମଣ୍ଡିତ।
ଓଡ଼ିଶାର କୃଷି ନିର୍ଭର ଗ୍ରାମ୍ୟ ଜୀବନର ଆଦର୍ଶ ଉପରେ ଲିଖିତ ‘ମାଟିର ମଣିଷ’ ଉପନ୍ୟାସଟି ଓଡ଼ିଆ ସାହିତ୍ୟର ଏକ କଳା କୋଣାର୍କ। ଓଃ, କେତେ ଆତ୍ମୀୟତାରେଭରା ସତେ ତା’ର କାହାଣୀ ପିଣ୍ଡ ! କୁହାଯାଏ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ ହେଉଛି ଯୌଥ ପରିବାର। ବିଦେଶୀ ଶାସନ ସମୟରେ ହରି ମିଶ୍ରଙ୍କ ଭଳି ଟାଉଟରଙ୍କ ସହାୟତାରେ ସେହି ପରମ୍ପରାକୁ ଭାଙ୍ଗି ଗ୍ରାମୀଣ ଅର୍ଥନୀତିକୁ ଦୁର୍ବଳ କରିଦେବାର ଯେଉଁ ପ୍ରୟାସ ହୋଇଥିଲା,ଏହି ମହାକାବି୍ୟକ ଗାନ୍ଧିବାଦୀ ଉପନ୍ୟାସ ଥିଲା ତା’ର ଏକ ସଶକ୍ତ ପ୍ରତିବାଦ। ଆଜି ବି ‘ମାଟିର ମଣିଷ’ ପଢ଼ିବା ମାତ୍ରେ ବା ବରଜୁ ପ୍ରଧାନକୁ ଅନୁସରଣ କରି ସମ୍ବେଦନଶୀଳ ପାଠକ ପ୍ରାଣରେ କଅଁଳି ଉଠେ ଏକ ଉଦାର ସମର୍ପିତ ଭାବ। ବାପା ଶ୍ୟାମ ପ୍ରଧାନ ମରିବା ଆଗରୁ ବରଜୁକୁ କହିଯାଇଥିଲେ-”ଛକଡି ପିଲାଲୋକ। ଭାରି ଚଗଲା। ତା’ କଥା ତୋତେ ଲାଗିଲା। ଗୋଟିଏ କଥା ମନେ ରଖିବୁ,ବିଲ ମଝିରେ ହିଡ଼ ପଡ଼ିବ ନାହିଁ କି ଘର ମଝିରେ ପାଚେରି ଠିଆହେବ ନାହିଁ। ବରଜୁ ପାଇଁ ସେହି କଥା ପଦକ ହୋଇଗଲା ବେଦର ଗାର। ତା’ର ମଣିଷପଣିଆ ପାଖରେ ହାର ମାନିଲା ସାନଭାଇ ଛକଡି ଓ ତା’ ଭାରିଯା ନେତ୍ରମଣିର ଭିନ୍ନେ ହୋଇଯିବାର ଜିଦ୍‌। ଘରର ସମସ୍ତ ଆସବାବପତ୍ର, ଜମିବାଡ଼ି ଆଦି ସବୁକିଛି ସମର୍ପି ଦେଇ ସେ ଗାଆଁ ଛାଡ଼ି ଚାଲିଯାଇଛି ଦୂର ଗାଆଁକୁ। ସେଠାରେ ପର ଜମିକୁ ନିଜର ଭାବି ଯେମିତି ରକ୍ତ ଢାଳିଦେଇଛି, ସେ ସବୁ ଭାବିଲେ ମନେହୁଏ ‘ମାଟିର ମଣିଷ’ କିଛି ସାଧାରଣ ଉପନ୍ୟାସ ନୁହେଁ, ଏହା ମଣିଷପଣିଆର ଏକ ପ୍ରେରଣାଦାୟକ ଭବିଷ୍ୟ ପୋଥି। ଜାତୀୟ ସ୍ତରର ଅନ୍ୟତମ ଶ୍ରେଷ୍ଠ ଉପନ୍ୟାସ।
କାଳିନ୍ଦୀଚରଣଙ୍କ ପ୍ରାୟତଃ ସମସ୍ତ ଗଳ୍ପ ମାଟିମନସ୍କ, ମାନବକୈନ୍ଦ୍ରିକ ଓ ସାମାଜିକ ବାସ୍ତବତାକୁ ଭିତ୍ତିକରି ରଚିତ। ବିଶେଷକରି ଜଣେ ଜୀବନଧର୍ମୀ ଓ ସମ୍ବେଦନଶୀଳ କଥାଶିଳ୍ପୀ ଭାବରେ ଗଭୀର ହୃଦୟବତ୍ତା ନେଇ ଓଡ଼ିଆ ସାହିତ୍ୟକୁ ସେ ଯେଉଁ ନୂତନ ଅନ୍ତର୍ଦୃଷ୍ଟି ଦେଇଛନ୍ତି, ତା’ର ଏକ ଚମତ୍କାର ଦୃଷ୍ଟାନ୍ତ ହେଉଛି ତାଙ୍କର ବହୁଚର୍ଚ୍ଚିତ ଗଳ୍ପ ‘ମାଂସର ବିଳାପ’।
ପ୍ରିୟଦର୍ଶୀ, ସୌମ୍ୟା, ପଦ୍ମିନୀ, ପ୍ରିୟଦର୍ଶୀ ଓ ସୁଦୂର ସଙ୍କେତ ଆଦି ନାଟକ ରଚନା କରି ଜଣେ ସଫଳ ନାଟ୍ୟକାରର ଗୌରବ ଅର୍ଜନ କରିଥିବା କାଳିନ୍ଦୀଚରଣ ଜଣେ ଚିନ୍ତାଶୀଳ ପ୍ରାବନ୍ଧିକ ଭାବେ ମଧ୍ୟ ପରିଚିତ। ପ୍ରଜ୍ଞା ସମୁଦ୍ର ମନ୍ଥନ କରି ଯେଉଁ ମଣିମୁକ୍ତା ସଂଗ୍ରହ କରିଛନ୍ତି, ତା’ର ଦୀପ୍ତିରେ ଦୀପ୍ତିମାନ ହୋଇଛି ତାଙ୍କର ପ୍ରବନ୍ଧ ପୁସ୍ତକ ‘ନେତୃତ୍ୱ ଓ ନେତୃତ୍ୱ’,‘ପ୍ରବନ୍ଧ ସାହିତ୍ୟ’ ଓ ‘ସାହିତ୍ୟ ବିଚାର’। ଆତ୍ମଜୀବନୀ ‘ଅଙ୍ଗେ ଯାହା ନିଭାଇଛି’ ତାଙ୍କ କର୍ମମୟ ଜୀବନର ଏକ ସତ୍ୟନିଷ୍ଠ ଉଚ୍ଚାରଣ।
ମୋ: ୬୩୭୧୬୪୨୪୬୪