ଚନ୍ଦାହାଣ୍ଡି,୬।୨(ଦିଲୀପ କୁମାର ଦାସ): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀଙ୍କୁ ବାସଗୃହ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୧୪ ପଞ୍ଚାୟତରେ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଘର ଘର ବୁଲି ପୂର୍ବ ବର୍ଷଗୁଡିକରେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ସର୍ଭେ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉଛି।
ବ୍ଲକରେ ସମୁଦାୟ ୩୮ଜଣ ସର୍ଭେକାରି ଏହି କାର୍ଯ୍ୟରେ ନିୟୋଜିତ ଥିବା ବି.ରାମକୃଷ୍ଣ ନାୟକ ସୂଚନା ଦେଇଛନ୍ତି। ସମ୍ପୂର୍ଣ ଯୋଗ୍ୟ ହିତାଧିକାରୀ ଯେପରି ବାଦ ନ ପଡନ୍ତି ସେଥିପ୍ରତି ସେ ଧ୍ୟାନ ଦେଉଥିବା କହିଛନ୍ତି।
ପ୍ରଥମଥର ପାଇଁ ହିତାଧିକାରୀ ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ସର୍ଭେ କରିବା ବ୍ୟବସ୍ଥା ରହିଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଏକ ସ୍ବତନ୍ତ୍ର ଟିମ ସର୍ଭେରେ ପକ୍କା ଘର ନ ଥିବା ଲୋକଙ୍କୁ ଭେଟି ଆବେଦନ ତାଲିକା ଭୂକ୍ତ କରାଉଛନ୍ତି।
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲାରେ ୯୨୮ ପରିବାରଙ୍କୁ ଭେଟି ସର୍ଭେ କାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଯୋଗ୍ୟ ପରିବାର ଯେପରି ବାଦ ନ ପଡନ୍ତି ତାକୁ ଦୃଷ୍ଟିରେ ରଖି ଗାଁ ଗାଁ ବୁଲି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।