କଳଙ୍ଗା ସମ୍ପ୍ରଦାୟଙ୍କୁ ଏସ୍‌ଟି ମାନ୍ୟତା ମିଳୁ: କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ପ୍ରଦୀପ ପୁରୋହିତ

ବରଗଡ,୧୩। ୩(ପ୍ରେମାନନ୍ଦ ଖମାରୀ): କଳଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି(ଏସ୍‌ଟି)ର ମାନ୍ୟତା ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ଦାବି ରଖିଛନ୍ତି। ଓଡ଼ିଶାର କଳଙ୍ଗା ସମ୍ପ୍ରଦାୟକୁ ଏସ୍‌ଟିର ମାନ୍ୟତା ଦିଆଯାଉ ବୋଲି ଅନେକ ଦିନରୁ ଦାବି ହୋଇଆସୁଛି । ଏମ୍‌ପି ପୁରୋହିତ କହିଛନ୍ତି, ବହୁ ପୂର୍ବରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏହି ସମ୍ପ୍ରଦାୟଙ୍କୁ ଏସ୍‌ଟିରେ ସାମିଲ କରାଯାଇଛି। କଳଙ୍ଗା ସମ୍ପ୍ରଦାୟ ମୁଖ୍ୟତଃ ଜଙ୍ଗଲ ଓ ପାହା ଅଞ୍ଚଳରେ ବସବାସ କରନ୍ତି । ଏମାନେ ସମାଜର ସବୁଠୁ ପଛୁଆ ଓ ବଞ୍ଚିତ ବର୍ଗ ମଧ୍ୟରୁ ଅନ୍ୟତମ । ଏହି ସମାଜର ଲୋକ ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକା ଭଳି ମୌଳିକ ସୁବିଧା ବଞ୍ଚିତ। ଅନୁସୂଚିତ ଜନଜାତିର ମାନ୍ୟତା ମିଳିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଏମାନେ ସାମିଲ ହୋଇପାରିବେ। ଶିକ୍ଷାରେ ସଂରକ୍ଷଣ, ଆର୍ଥିକ ସହାୟତା ଓ ଅନ୍ୟ ଜନକଲ୍ୟାଣକାରୀ ଯୋଜନାର ମୁଖ୍ୟ ଲାଭ ଉଠାଇପାରିବେ । ଓଡ଼ିଶାର କଲଙ୍ଗା ସମ୍ପ୍ରଦାୟଙ୍କୁ ଧାରା ୩୪୨ ଆଧାରରେ ଅନୁସୂଚିତ ଜନଜାତି ସୂଚୀରେ ସଂଶୋଧନ କରି ଏସ୍‌ଟି ସୂଚୀରେ ସାମିଲ କରିବାକୁ ଏମ୍‌ପି ପୁରୋହିତ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ସେମାନେ ଏହି ବର୍ଗରେ ସାମିଲ ହେଲେ ସେମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ଏମ୍‌ପି ପୁରୋହିତ କହିଛନ୍ତି।