ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗଜପତିର ଗୁମ୍ମା ଟିମ ଚାମ୍ପିୟନ, ଟ୍ରଫି ସହ ମିଳିଲା ଏତେ ଟଙ୍କା

ଦିଗପହଣ୍ଡି, ୫।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୭ମ ଦିବସ ରବିବାର ଫାଇନାଲ ମ୍ୟାଚରେ ଗଜପତି ଜିଲାର ଗୁମ୍ମା ଗ୍ରାମ ଭଲିବଲ ଟିମ ପ୍ରତିପକ୍ଷ ବ୍ରହ୍ମପୁରର ପାୱାର ସିକ୍ସ ଭଲିବଲ ଟିମକୁ ପରାଜିତ କରି ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତି ୧୨ଟାରେ ସରିଥିଲା। ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟର ଉଦ୍‌ଯାପନ ଉତ୍ସବରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁମ୍ମା ଗ୍ରାମର ଚାମ୍ପିୟନ ଟିମକୁ ୩୩୩୩୩ ଟଙ୍କା ଓ କପ ସିଲ୍ଡ ପ୍ରଦାନ କରିଥିଲେ। ରନର୍ସଅପ ହୋଇଥିବା ପାୱାର ସିକ୍ସ ଟିମକୁ ଅନ୍ୟତମ ଅତିଥି ତଥା ଟୁର୍ନାମେଣ୍ଟ ଆୟୋଜକ କମିଟି ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ ୨୨୨୨୨ ଟଙ୍କା ଓ କପ ସିଲ୍ଡ ପ୍ରଦାନ କରିଥିଲେ। ସମୁଦାୟ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି କନ୍ଧମାଳ ଜିଲା ବାରଖମାର ବିଟୁ ଓରଫ ଢାମଣା ନାୟକଙ୍କୁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା କାଉନସିଲର ଦୀପକ କୁମାର ମିଶ୍ର ରୌପ୍ୟମୁଦ୍ରା ସହ ଏକ ନୂଆ ସାଇକେଲ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ରୂପେ ବରିଷ୍ଠ କ୍ରୀଡାବିତ ଦୁର୍ଗାପ୍ରସାଦ ଦାସ , ସାମାଜିକ କର୍ମୀ ଗଣେଶ ବ୍ରହ୍ମା , ଗଡ଼ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ , କାଉନସିଲର ନୀଳମାଧବ ଗୌଡ଼ ପ୍ରମୁଖ ଯୋଗଦେଇ ଉଭୟ ଟିମ ର ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଆୟୋଜକ କମିଟି ସଭ୍ୟ ବୈକୁଣ୍ଠନାଥ ସ୍ବାଇଁ , ରଞ୍ଜିତ ବେହେରା , ନରେନ୍ଦ୍ର ସାହୁ , ଆର୍‌ . ମୁନା , ଶିବରୁଦ୍ର ନାୟକ , ସନାତନ ରେଡ୍ଡୀ , ଶଙ୍କର ମହାରଣା , ହୃଦୟ ନନ୍ଦ , କାଳିଆ ରେଡ୍ଡୀ , ରବିନ୍ଦ୍ର ମାର୍ଥା , ସମ୍ବୁଜ ଦଳାଇ , ସରୋଜ ଦଳାଇ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Dharitri – The Largest & Most Trusted Odia Daily

Share
Tags: odisha