ବକେୟା ବିଲ୍‌ ନଦେବାରୁ ପୁରା ଗାଁର ବିଦ୍ୟୁତ୍‌ ଠପ୍‌ କରିଦେଲା TPSODL, ପୋଡମପେଟ୍ଟାରେ ତୀବ୍ର ଉତ୍ତେଜନା

ଗଞ୍ଜାମ, ୨୩।୧୦(ଅଖିଳ ତରାଇ):  ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧିନସ୍ଥ ମସ୍ୟଯିବି ଗ୍ରାମ ପୋଡ଼ମପେଟ୍ଟାରେ ଟିପିଏସ୍‌ଓଡିଏଲ(TPSODL)ର ମନମୁଖୀ କାର୍ଯ୍ୟକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ବକେୟା ବିଲ, ମିଟର ଟ୍ୟାମ୍ପରିଂ ଥିବା ଉପଭୋକ୍ତାଙ୍କୁ ଦଣ୍ଡ ଦେବାକୁ ଯାଇ ସମଗ୍ର ଗ୍ରାମର ବିଦ୍ୟୁତ ସରବରାହ ଠପ କରିଦିଆଯାଇଛି। ଫଳରେ ବୁଧବାର ସନ୍ଧ୍ୟାରୁ ଗ୍ରାମରେ ବିଦ୍ୟୁତ ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରାମବାସୀମାନେ  ଅଭିଯୋଗ କରିଛନ୍ତି ଯେ କେବଳ ବକେୟା  ଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବା ଉଚିତ ଥିଲା, କିନ୍ତୁ ଟିପିଏସ୍‌ଓଡିଏଲ୍‌ ସମଗ୍ର ଗ୍ରାମକୁ ଅନ୍ଧକାରରେ ରଖିଛି। ଏହା ଅନ୍ୟାୟ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେମାନେ କହିଛନ୍ତି  ଯେ, ସମୁଦ୍ରକୁ ମାଛ ମାରିବାକୁ ଗଲେ ଆମ ପରିବାର ଚଳୁଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅଲିଭରିଡ଼ଲେ କଇଁଛ ଅଣ୍ଡା ଦାନ ସମୟରେ ୭ ମାସ ସମୁଦ୍ରକୁ ବାରଣ କରାଯାଉଛି। ସ୍ମାର୍ଟ ମିଟର ବସିବା ପରେ ବିଦ୍ୟୁତ ବିଲ୍‌ ଅଧିକ ଆସୁଛି, ଯାହା ଗରିବ ମସ୍ୟଜିବୀଙ୍କ ପକ୍ଷରେ ଏକ ସମୟରେ ଦେବା ସମ୍ଭବ ହେଉ ନାହିଁ। କେବଳ ବକେୟା ଉପଭୋକ୍ତାଙ୍କ ସଂଯୋଗ ବିଚ୍ଛିନ୍ନ କରାଯାଉ ଏବଂ ଗ୍ରାମର ବିଦ୍ୟୁତ ସରବରାହ ତୁରନ୍ତ ପୁନଃସ୍ଥାପନ କରାଯାଉ।
ଏ ନେଇ ଟିପିସିଓଡିଏଲ ଅଧିକାରୀ କହିଛନ୍ତି ଗ୍ରାମରେ ଯାଇ ବିଭିନ୍ନ ସମୟରେ ବକେୟା ବିଲ୍‌, ମିଟର ଟ୍ୟାମ୍ପରିଂ,ଚୋରୀ ଆଦି ନେଇ ସଚେତନତା କରି ବକେୟା ବିଲ ଟଙ୍କା ପୈଠ ପାଇଁ ବାରମ୍ବାର  କହିଲେ ସୁଦ୍ଧା ଗ୍ରାମର ୧୫୦ ଊର୍ଦ୍ଧ୍ୱ ପରିବାର ପୈଠ କରିନାହାନ୍ତି ।  ଉପରିସ୍ଥ ଅଧିକାରୀଙ୍କ ଆଦେଶ ପ୍ରକାରେ ଆମେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରିଛୁ । ଯାହା ଆଦେଶ ଆସିବ ତାହା ଆମେ ପାଳନ କରିବୁ। ଗ୍ରାମବାସୀ ଓ ସ୍ଥାନୀୟ ଜନସାଧାରଣ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଦ୍ୟୁତ ସରବରାହ ପୁନଃସ୍ଥାପନ  ନହେଲେ ଗଞ୍ଜାମ ବିଦ୍ୟୁତ ବିଭାଗ ଅଫିସ ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।