ବିହାରରେ କ୍ଷମତା ବଣ୍ଟନ ଚୂଡ଼ାନ୍ତ: ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ

ପାଟନା,୧୬ା୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ୨୦୨ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିବାବେଳେ ଆସନ୍ତା ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ମେଣ୍ଟ ସହଯୋଗୀଙ୍କ ମଧ୍ୟରେ କ୍ଷମତା ବଣ୍ଟନ ଚୂଡ଼ାନ୍ତ ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।

ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ଥିବାବେଳେ ଭାଜପାକୁ ଅଧିକ ମନ୍ତ୍ରୀପଦ ମିଳିପାରେ। ଭାଜପା ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ବୈଠକରେ ଚୂଡ଼ାନ୍ତ ହୋଇଥିବା ବ୍ୟବସ୍ଥା ଅନୁଯାୟୀ, ଭାଜପାକୁ ୧୫ରୁ ୧୬ ମନ୍ତ୍ରୀ ପଦ ମିଳିପାରେ। ଅନ୍ୟପକ୍ଷରେ ଜେଡିୟୁରୁ ୧୪ ଜଣ ମନ୍ତ୍ରୀ ହୋଇପାରନ୍ତି। ନିର୍ବାଚନରେ ଭାଜପା ୮୯ ଆସନ ଜିତିଥିବାବେଳେ ଜେଡିୟୁ ୮୫ ଆସନରେ ବିଜୟୀ ହୋଇଥିଲା।

୧୯ ଆସନ ହାସଲ କରିଥିବା ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି (ରାମବିଳାସ)କୁ ୩ ମନ୍ତ୍ରୀ ପଦ ମିଳିପାରେ। ସେହିପରି ଜିତନରାମ ମାନ୍‌ଝିଙ୍କ ହିନ୍ଦୁସ୍ତାନ ଆଓ୍ବାମ ମୋର୍ଚ୍ଚା (ଧର୍ମନିରପେକ୍ଷ) ୫ ଆସନ ଏବଂ ଉପେନ୍ଦ୍ର କୁଶ୍‌ଓ୍ବାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଯଥାକ୍ରମେ ୫ ଓ ୪ ଆସନ ଜିତିଥିବାବେଳେ ଉଭୟ ଦଳରୁ ଜଣେ ଲେଖାଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି। ପ୍ରତି ୬ ବିଧାୟକରେ ଜଣକୁ ମନ୍ତ୍ରୀ କରିବା ପାଇଁ ସୂତ୍ର ସ୍ଥିର ହୋଇଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily