ଦଶହରାରେ ବିଦ୍ୟୁତ ବିଭ୍ରାଟ: ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ବଢୁଛି ଜନଅସନ୍ତୋଷ

ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ଦଶହରା ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ ଅଚଳ ଯୋଗୁ ଉପଭୋକ୍ତାଙ୍କ ମନରେ ଆସନ୍ତୋଷ ସୃଷ୍ଟି ହୋଇଛି। ବିଦ୍ୟୁତ ଅଚଳ ଯୋଗୁ ନିଜ ବ୍ୟବସାୟୀ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନ, ଘରୋଇ ଅନୁଷ୍ଠାନ ଗୁଡିକରେ ଏହି ପର୍ବ ପାଇଁ ପୂଜାର୍ଚ୍ଚନା କରୁଥିବା ବେଳେ ବିଦ୍ୟୁତ ନଥିବାରୁ ହଇରାଣ ଭୋଗୁଛନ୍ତି। ବ୍ୟବସାୟୀ ଅନୁଷ୍ଠାନରେ ଦଶହରା ପୂଜା ଶେଷ କରି ଦୋକାନ ଖୋଲି ଅନ୍ଧାର ଭିତରେ ବ୍ୟବସାୟ କରିବାକୁ ପଡୁଛି ବୋଲି ସିମନବାଡି ମା’ ପାଟ୍ଟାଖଣ୍ଡା ବଣିକ ସଂଘର ସଭାପତି ମହେଶ କୁମାର ସାହୁ କହିଛନ୍ତି। ଦୀର୍ଘ ସମୟ ଧରି ବିଦ୍ୟୁତ କଟାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ବିଦ୍ୟୁତ କାଟ ନେଇ କୌଣସି ସୂଚନା ଦିଆଯାଇ ନ ଥିବାରୁ ଜନଅସନ୍ତୋଷ ଦ୍ବିଗୁଣିତ ହୋଇଥିବା ସେ କହିଛନ୍ତି। ଖବର ଲେଖାହେବା ସୁଦ୍ଧା ବିଦ୍ୟୁତ ଅଚଳ ହୋଇଛି। ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଭାଗ ଦୃଷ୍ଟି ଦେଉ ବୋଲି ଅଭିଯୋଗ ହୋଇଛି।