ସାମାନ୍ୟ ବର୍ଷାରେ ବିଦ୍ୟୁତ କାଟ୍‌: ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି,୧୪।୫(ଅରୁଣ ସାହୁ): ହିତାଧିକାରୀଙ୍କୁ ନିୟମିତ ବିଦ୍ୟୁତ ଯୋଗାଇଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ କାଳବୈଶାଖୀ ପୂର୍ବରୁ ବାରମ୍ବାର ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲେ ସୁଦ୍ଧା ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ କାଟ କରାଯାଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବିଭାଗ ଖର୍ଚ୍ଚ କରୁଛି। କିନ୍ତୁ ତାହା କାଳବୈଶାଖୀ ସମୟରେ “ଯଥା ପୂର୍ବଂ ତଥା ପରଂ” ସ୍ଥିତି ହେଉଛି ସାମାନ୍ୟ ପବନ ବର୍ଷାରେ ବିଦ୍ୟୁତ ବିଭ୍ରାଟ ହେବା ସହ ପୂର୍ବରୁ ବିଦ୍ୟୁତ ତାର ଯାଇଥିବା ପାର୍ଶବର୍ତ୍ତୀ ଅଞ୍ଚଳରେ ତାରରେ ଲାଗୁଥିବା ଡାଳ କଟାଯାଉଥିବା କୁହାଯାଉଥିବାବେଳେ କାଳବୈଶାଖୀ ସମୟରେ ପୁଣି ସେ ଗଛ ଡାଳ ଲାଗି ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେଉଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟାଠାରୁ ସିମନବାଡି ଫିଡ଼ରରେ ବିଦ୍ୟୁତ ବାରମ୍ବାର ଅଚଳ ହେବା ସହ ମଧ୍ୟାହ୍ନରୁ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ ହୋଇ ୧୨ ଘଣ୍ଟା ଅର୍ଥାତ ଭୋର ପାଖାପାଖି ୨ଟା ସମୟରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଥିଲା। ଯଦି କାଳବୈଶାଖୀ ଆସିବା ସମୟ ପୂର୍ବରୁ ବିଭାଗ ବାରମ୍ବାର ବିଦ୍ୟୁତ ରକ୍ଷଣାବେକ୍ଷଣ କରୁଛି। ତେବେ ଏହି ସମୟରେ ସାମାନ୍ୟ ବର୍ଷାରେ କାହିଁକି ବିଦ୍ୟୁତ ଅଚଳ ହେଉଛି ସେନେଇ ଅସନ୍ତୋଷ ବୃଦ୍ଧି ପାଉଛି। ବିଦ୍ୟୁତ ଅଚଳ ଯୋଗୁ ସିମନବାଡି ଫିଡ଼ରର ଶ୍ରାନିକେତା ପଞ୍ଚାୟତ ସମେତ ସିମନବାଡି, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ ବ୍ଲକ ପକାରୀ ଏବଂ ବାଲିଗୁଡା ବ୍ଲକ ଋତୁଙ୍ଗିଆ ପର୍ଯ୍ୟନ୍ତ ପ୍ରାୟ ହଜାର ହଜାର ହିତାଧିକାରୀ ଅନ୍ଧାରରେ ରହିଥିଲେ।