ବିକାଶରେ ବାଧକ ସାଜିଛି ଗୁଡ଼ାଙ୍ଗଘାଟି: ପ୍ରାଥମିକ ଶିକ୍ଷାରୁ ପିଲାଙ୍କ ପାଠପଢା ଠପ୍‌

ଭବାନୀପାଟଣା,୨୪ା୧୦(ଉତ୍ତମ କୁମାର ଦାଶ):ସରକାର ବଦଳିଛି, ମାତ୍ର କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ରରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ରାସ୍ତା ନ ଥିବାରୁ ବିକାଶ ଅପହଞ୍ଚ ହୋଇରହିଛି। ପୂର୍ବରୁ ଯେଉଁ ସମସ୍ୟା ଥିଲା ଆଜି ମଧ୍ୟ ସମାନ ଅବସ୍ଥା। ଲୋକଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆସି ପାରୁନାହିଁ।
କଳାହାଣ୍ଡି ଜିଲା ସଦର ବ୍ଲକ ଭବାନୀପାଟଣା ସଦର ମହକୁମାଠାରୁ ମାତ୍ର ୧୮ କିଲୋମିଟର ଦୂରରେ ରହିଛି ଚାଞ୍ଚେର ପଞ୍ଚାୟତ। ଏହି ପଞ୍ଚାୟତର ଗୁଡାଙ୍ଗଘାଟି ଶିଖରରେ ରହିଥିବା ୨ ଗାଁ ପିରୁଙ୍ଗଗୁଡା ଓ ପରଡଙ୍ଗଗୁଡାକୁ ନିତିଦିନିଆ ରାସ୍ତା ନାହିଁ। କହିବାକୁ ଗଲେ ଗୁଡ଼ାଙ୍ଗ ଘାଟି ଏହି ଦୁଇ ଗାଁର ବିକାଶରେ ବାଧକ ସାଜିଛି। କେରାଣ୍ଡିହାପର ଛକଠାରୁ ଗୁଡାଙ୍ଗ ପରେ ୮ କିଲୋମିଟର ବିପଦପୂର୍ଣ୍ଣ ପାହାଡ଼ିଆ ରାସ୍ତାରେ ଗଲେ ଗାଁରେ ପହଞ୍ଚତ୍ହେବ। ମାତ୍ର ବର୍ଷା ହେଲେ ଆଉ ଫେରିବା ପାଇଁ ରାସ୍ତା ମିଳିବ ନାହିଁ। ବର୍ଷ ବର୍ଷ ଧରି ଦୁଇ ଗ୍ରାମବାସୀ ପ୍ରଶାସନ ଓ ସ୍ଥାନୀୟ ନେତାଙ୍କଠାରେ ରାସ୍ତାଟିଏ ପାଇଁ ଗୁହାରି ହୋଇ ଥକିଗଲେଣି। ହେଲେ ପ୍ରଶାସନର ଅଣଦେଖା ଲୋକଙ୍କ ମନୋବଳ ଭାଙ୍ଗିଦେଉଛି ବୋଲି ପିରୁଙ୍ଗଗୁଡା ଗ୍ରାମର ବାସନ୍ତୀ ମାଝୀ, ପଦ୍ମା ମାଝୀ, ପରଡଙ୍ଗଗୁଡାର ଗ୍ରାମର ଜୁଲି ମାଝୀ ଓ ଅନ୍ୟମାନେ ଅଭିଯୋଗ କରୁଛନ୍ତି। ପରଡଙ୍ଗଗୁଡା ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ନେଟ୍‌ୱର୍କ ମଧ୍ୟ ଆସୁଛି। ହେଲେ ପିଇବା ପାଣି ମିଳୁ ନାହିଁ। ଗ୍ରାମବାସୀଙ୍କୁ ମିଳିଥିବା ବସୁଧା ଅଧାପନ୍ତରିଆ ରହିଛି। ସେହିପରି ଦୁଇ ଗାଁର ପ୍ରାୟ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ହିତାଧିକାରୀଙ୍କ ଆବାସ ରାସ୍ତା ସମସ୍ୟା ପାଇଁ ଅଧାପନ୍ତରିଆ ହୋଇ ପଡିରହିଛି। ସାସ୍ଥ୍ୟସେବା କଥା ନ କହିବା ଭଲ। ଗୁରୁତର ରୋଗୀ ଭାରରେ ବୁହାହୋଇ ଘାଟି ପାର ହେଉଛନ୍ତି। ପିଲାଙ୍କ ପ୍ରାଥମିକ ଶିକ୍ଷା ପରେ ରାସ୍ତା ଯୋଗୁ ପାଠପଢା ଠପ ହୋଇଯାଉଛି। ଦୁଇ ଗାଁରେ ପ୍ରାୟ ୪୦ରୁ ଅଧିକ ପିଲା ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ରାସ୍ତା ହିଁ ଦୁଇ ଗାଁ ବିକାଶରେ ବାଧକ ହୋଇଛି ବୋଲି ଛାତ୍ର ପ୍ରମୋଦ ମାଝୀଙ୍କ ସମେତ ପରଡଙ୍ଗଗୁଡାର ମାଣ୍ଡେ ମାଝୀ ଅଭିଯୋଗ କରୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ପିରୁଙ୍ଗଗୁଡା ଓ ପରଡଙ୍ଗଗୁଡା ଗ୍ରାମକୁ ଯାତାୟାତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ସଡ଼କଟିଏ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily