ସମ୍ପ୍ରସାରିତ ଦାରିଦ୍ର୍ୟ

ଡ.ପ୍ରଫୁଲ୍ଲ କୁମାର ସାହୁ

ସ୍ୱାଧୀନତା ପୂର୍ବରୁ କ୍ଷୁଧାମୁକ୍ତ ଭାରତବର୍ଷର ସ୍ବପ୍ନ ଦେଖିଥିଲେ ଗାନ୍ଧିଜୀ। ସ୍ବାଧୀନତା ପରେ ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ କାର୍ଯ୍ୟକାରୀ ହେଲା ଯୋଜନା ପରେ ଯୋଜନା। ସଫଳତା ପରଖିବା ପାଇଁ ଭିନ୍ନ ଭିନ୍ନ ସମୟରେ ଗ୍ରହଣ କରାଗଲା ନୂଆ ନୂଆ ମାନଦଣ୍ଡ। କେତେବେଳେ ସୁରେଶ ତେନ୍ଦୁଲକର କମିଟି ବସାଗଲା ତ କେତେବେଳେ ଅର୍ଜୁନ ସେନ ଗୁପ୍ତା କମିଟି ବା ମଣ୍ଟେସିଂହ ଆହଲୁ ଓ୍ବାଲିଆଙ୍କ ମତ ଆଧାରରେ ଆକଳନ କରାଗଲା ଦାରିଦ୍ର୍ୟ ଓ ସ୍ବଚ୍ଛନ୍ଦତାର ସ୍ଥିତି। ମାତ୍ର ଯେ କୌଣସି କମିଟିର ମାପକାଠି ଆଧାରରେ ବିଚାର କଲେ ବି ପଦାକୁ ଆସିଲା ସଫଳତାର ନୈରାଶ୍ୟଜନକ ଚିତ୍ର। ୨୦୧୧ରେ ଘରଘର ବୁଲି ପ୍ରସ୍ତୁତ ହୋଇଥିବା ସାମାଜିକ ଓ ଜାତିଭିତ୍ତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଦେଶର ୬୪୦ଟି ଜିଲାର ୧୭କୋଟି ୯୧ ଲକ୍ଷ ଗ୍ରାମାଞ୍ଚଳ ପରିବାର ଭିତରୁ ୭୫ଭାଗ ପରିବାରର ମାସିକ ଆୟ ୫ହଜାର ଟଙ୍କାରୁ କମ୍‌। ଗ୍ରାମାଞ୍ଚଳରେ ୫୦ଭାଗ ଲୋକ ଭୂମିହୀନ। ସମଗ୍ର ଦେଶରେ ଯେଉଁ ଚିତ୍ର ଏ ରିପୋର୍ଟରେ ପ୍ରକାଶ ପାଇଛି, ସେଥିରେ ଓଡ଼ିଶାର ସାମଗ୍ରିକ ଛବି ଆହୁରି ନୈରାଶ୍ୟଜନକ ଓ ବିଷାଦମୟ। ଏହି ରିପୋର୍ଟ ପ୍ରସ୍ତୁତ ହେବାର ପାଖାପାଖି ଗୋଟିଏ ଦଶନ୍ଧି ବିତିଯାଇଥିଲେ ବି ସ୍ଥିତିରେ ଯେ ବିଶେଷ କିଛି ସୁଧାର ଆସିନି, ତା’ର ଜ୍ୱଳନ୍ତ ନମୁନା ହେଉଛି ସଦ୍ୟ ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ। ଚଳିତବର୍ଷ ୧୦୭ଟି ଦେଶକୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଭାରତ ୯୭ତମ ସ୍ଥାନରେ ରହି ନିଜ ମୁହଁରେ ନିଜେ ବୋଳି ହୋଇଛି କଳା। ଏଭଳି କହିବାର ତାତ୍ପର୍ଯ୍ୟ ହେଉଛି କ୍ରମାଗତ ବୃଦ୍ଧି ପାଉଥିବା ଉପତ୍ାଦନକୁ ନେଇ ଭାରତ ଏବେ ଖାଦ୍ୟଶସ୍ୟ କ୍ଷେତ୍ରରେ ଏକ ବଳକା ରାଷ୍ଟ୍ର। ଅସାବଧାନତା କାରଣରୁ ଏଠି ଆମ ଖାଦ୍ୟନିଗମ ଗୋଦାମରେ ନଷ୍ଟ ହେଉଛି ଟନ୍‌ଟନ୍‌ ଖାଦ୍ୟଶସ୍ୟ। ଅଥଚ ଏକ କ୍ଷୁଧାପ୍ରବଣ ଦେଶ ଭାବରେ ଭାରତ ବାରମ୍ବାର ନିନ୍ଦିତ ହେଉଛି ବିଶ୍ୱ ଦରବାରରେ। ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ କହୁଛି ଏଠି ଦିନରେ ଦୁଇଓଳା ପେଟପୂରା ଖାଦ୍ୟ ଖାଇବାକୁ ପାଆନ୍ତିନି ଶତକଡ଼ା ୧୪ଭାଗ ଲୋକ। ଦେଶରେ ପ୍ରାୟ ୧୯କୋଟି ଲୋକ ରାତିରେ ଶୋଇବାକୁ ଯାଆନ୍ତି ଭୋକ ପେଟରେ। ଅନାହାର, ଅର୍ଦ୍ଧାହାର ଓ ବଭୁକ୍ଷାର ଏକ ସ୍ବାଭାବିକ ପରିଣତି ହେଉଛି ପୃଷ୍ଟିହୀନତା। ଏହି କାରଣରୁ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି ଭାରତୀୟ ଶିଶୁମାନଙ୍କର ଶାରୀରିକ ଓ ମାନସିକ ବିକାଶ। ଭୋକ ଓ ପୁଷ୍ଟିହୀନତା ଯୋଗୁ ଦେଶରେ ପ୍ରତିଦିନ ପ୍ରାଣ ହରାଉଛନ୍ତି ହାରାହାରି ୪ହଜାର ଶିଶୁ। ଏଥିରୁ ବୁଝିବାକୁ ହେବ ଯେ ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଦାରିଦ୍ର୍ୟ ହଟାଇବା ପାଇଁ ଗରିବୀ ହଟାଓ, ସାଇନିଂ ଇଣ୍ଡିଆ, ଅଛା ଦିନ ଆୟେଗା ଆଦି ଯେତେ ସବୁ ସ୍ଲୋଗାନ ଦିଆଯାଇଛି, ତାହା ରହିଯାଇଛି ସେହି ସ୍ଲୋଗାନ ଭିତରେ। ତେଣୁ ପ୍ରଶ୍ନ ଉଠେ ଏତେ ସବୁ ଯୋଜନା ସତ୍ତ୍ୱେ ଦେଶରୁ ଦାରିଦ୍ର୍ୟ ହଟୁନି କାହିଁକି?
ସରକାରଙ୍କ ଆନ୍ତରିକତା ବା ରାଜନୈତିକ ଇଚ୍ଛାଶକ୍ତି ଉପରେ ନିର୍ଭର କରେ ପ୍ରତ୍ୟେକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ। ମାତ୍ର ଆମ ଦେଶରେ ପ୍ରାୟତଃ ପ୍ରତ୍ୟେକ ଯୋଜନା ଅନ୍ତରାଳରେ ଥାଏ ଭୋଟ ହାତେଇବାର ଚାଲାକି। ଅର୍ଥାତ୍‌ ସରକାରଙ୍କ ଆନ୍ତରିକତା ଅଭାବରୁ ଲୋକଙ୍କ ପାଖରେ ଠିକ୍‌ ଭାବରେ ପହଞ୍ଚତ୍ପାରେନି ଯୋଜନାର ସଫଳତା। ଯୋଗ୍ୟ ହିତାଧିକାରୀ ଚୟନ ଦ୍ୱାରା ସଫଳ ହୁଏ ନାନା ପ୍ରକାର ରିହାତି ଯୋଜନା। ମାତ୍ର ଆମ ଦେଶର ଆଇନର ଜଟିଳତା କାରଣରୁ ପରିଚୟ ସଂକଟରେ ପଡ଼ି ଦାରିଦ୍ର୍ୟ ସୀମାରେଖା ତଳେ ଅନ୍ତର୍ଭୁକ୍ତ ହୋଇପାରନ୍ତିନି ଅନେକ ବାସହରା ଓ ଭୋକିଲା ମଣିଷ। ଏଥିରେ ସାମିଲ ହେବା ପାଇଁ ବି ଏଠି ଆବଶ୍ୟକ ହୁଏ ଲାଞ୍ଚ ଓ ସୁପାରିସ। ପ୍ରକୃତ ଗରିବ ଲୋକଟି ଲାଞ୍ଚ ଦେଇ ନ ପାରି ଗରିବ ତାଲିକାରୁ ବାଦ ପଡ଼େ ଏବଂ ସେ ତାଲିକାରେ ସ୍ଥାନ ପାଏ ଥିଲାବାଲା ଲୋକ। ଏମାନେ ଗରିବ ନୁହନ୍ତି ସତ, କିନ୍ତୁ ଗରିବ ଦସ୍ତାବିଜ ଧରି ହାସଲ କରନ୍ତି ସରକାରୀ ସହାୟତା। ଏହି ବିବେକହୀନ ପାଉକାରିଆଙ୍କ ଲୁଣ୍ଠନ ମନୋବୃତ୍ତି ପାଇଁ ଠୋକର ଖାଉଛି ଯୋଜନା।
ଚାଷୀ ଶ୍ରମର ମୂଳଦୁଆ ଉପରେ ଛିଡ଼ା ହୋଇଛି କୃଷିପ୍ରଧାନ ଦେଶ ଭାରତର ଅର୍ଥନୀତି। ଅଥଚ ଏଠି କୃଷି ଉପରେ ନିର୍ଭର କରି ବଞ୍ଚତ୍ଥିବା ଲୋକେ ଦରିଦ୍ର ଓ ଅବହେଳିତ। ସରକାରୀ ଅବହେଳାର ଶିକାର ହୋଇ ଚାଷୀ ଏଠି ପାଏନି ତା’ ଶସ୍ୟର ଉଚିତ୍‌ ମୂଲ୍ୟ। ଚାଷ ଏଠି କ୍ଷତିର ସଉଦାରେ ପରିଣତ ହେବା ପରେ ଚାଷୀ ଆଉ ଏଠି ଆଉ ଲାଭ ପାଇଁ ନୁହେଁ, କେବଳ ଚାଷ କରୁଛି କଷ୍ଟେମଷ୍ଟେ ବଞ୍ଚତ୍ବା ପାଇଁ। ଏହାଦ୍ୱାରା ସଂକଟ ଭିତରକୁ ଟାଣିହୋଇ ଯାଇଛି କୃଷକ ଓ କୃଷିକ୍ଷେତ୍ରରେ ନିୟୋଜିତ ଶ୍ରମିକ, ଯେଉଁମାନଙ୍କର ସଂଖ୍ୟା ମୋଟ ଜନସଂଖ୍ୟାର ୬୦ଭାଗରୁ ଅଧିକ। ସ୍ବାଧୀନତା ପରେ କ୍ଷମତାକୁ ଆସିଥିବା ସବୁ ସରକାର ଆପଣେଇଛନ୍ତି ତେଲିଆ ମୁଣ୍ଡରେ ତେଲ ଢାଳିବା ନୀତି। ସେଥିପାଇଁ ଦିନକୁ ଦିନ ବଢି ଚାଲିଛି ଥିଲାବାଲା ଓ ନ ଥିଲା ବାଲାଙ୍କ ଭିତରେ ବ୍ୟବଧାନ। ତଥ୍ୟ କହେ କେବଳ ୧୦ ପ୍ରତିଶତ ଲୋକଙ୍କ ପାଖରେ ଠୁଳ ହୋଇ ରହିଛି ଦେଶର ୯୦ ପ୍ରତିଶତ ସଂପତ୍ତି। ୩୦ ପ୍ରତିଶତ ଲୋକ ଏଠି ମଧ୍ୟବିତ୍ତ। ଅବଶିଷ୍ଟ ଅଛନ୍ତି ଢୋକେ ପିଇ ଦଣ୍ଡେ ଜିଇବା ଅବସ୍ଥାରେ। ଏହାଦ୍ୱାରା ସମାଜର ଅଳ୍ପ କିଛି ଲୋକ ପର୍ଯ୍ୟାପ୍ତ ସୁଯୋଗ ହାତେଇଥିବା ବେଳେ ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚତ୍ତ ହୋଇଛନ୍ତି ଜନସଂଖ୍ୟାର ଏକ ବୃହତ୍‌ ଅଂଶ।
ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାରଙ୍କ ପ୍ରମୁଖ ଆୟୁଧ ହେଉଛି ରିହାତି ବ୍ୟବସ୍ଥା। ସରକାରଙ୍କର ଏହି ରିହାତି ରାଜନୀତି ଗରିବକୁ ସାମୟିକ ଆଶ୍ୱସ୍ତି ଦେଇପାରେ, କିନ୍ତୁ ଏହାଦ୍ୱାରା ଦାରିଦ୍ର୍ୟର ମୂଳୋପତ୍ାଟନ ଅସମ୍ଭବ। ଏଥିପାଇଁ ଆବଶ୍ୟକ ଦୀର୍ଘମିଆଦୀ ଯୋଜନା। ଏହି ପରିପ୍ରେକ୍ଷୀରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ଅକ୍ଷମକୁ ସକ୍ଷମ କରିବା ଯେତିକି ଆବଶ୍ୟକ, ସକ୍ଷମମାନେ କେମିତି ଅକ୍ଷମ ନ ହେବେ ସେଥିପ୍ରତି ଦୃଷ୍ଟି ଦେବା ମଧ୍ୟ ସେତିକି ଜରୁରୀ। ମାତ୍ର ରିହାତି ଯୋଜନା ଦ୍ୱାରା ପ୍ରଥମ ଗୋଷ୍ଠୀର ଦାରିଦ୍ର୍ୟ ତ କମୁନାହିଁ, ବରଂ ଅନ୍ୟପକ୍ଷରେ ପଛକୁ ଟାଣିି ହୋଇଯାଉଛି ଦ୍ୱିତୀୟ ଗୋଷ୍ଠୀ। ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ନିମନ୍ତେ ସମସ୍ତଙ୍କ ହାତକୁ କାମ ଯୋଗାଇବା ଅତ୍ୟନ୍ତ ଜରୁରୀ। ମାତ୍ର କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିପର୍ଯ୍ୟୟ ଫଳରେ ସୃଷ୍ଟି ହେଉଛି ଦାଦନ ସମସ୍ୟା। ବଢୁଛି ଦୁର୍ଗତ ପଳାୟନ।
ଅନ୍ୟପକ୍ଷରେ କେବଳ ସରକାର ଚାହିଁଲେ ଦାରିଦ୍ର୍ୟ ହଟିବ ନାହିଁ, ଏଥିରୁ ମୁକୁଳିବା ପାଇଁ ଲୋକଙ୍କର ଉଦ୍ୟମ ରହିବା ନିତାନ୍ତ ଆବଶ୍ୟକ। ମାତ୍ର ସ୍ବାଭିମାନର ସଂକଟ ଯୋଗୁ ନିଜେ ଉଦ୍ୟମ କରିବା ପରିବର୍ତ୍ତେ ମାଗଣା ଖିଆ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଲୋକଙ୍କ ଭିତରେ ଚାଲିଛି ପ୍ରତିଯୋଗିତା। ରିହାତି ଚାଉଳ ଖାଇ ଅନେକ ଲୋକେ ଭୁଲିଗଲେଣି ନିଜର କର୍ମକୁଶଳତା। ବିଲବାରିକୁ ନ ଯାଇ ଗାଁ ଦାଣ୍ଡରେ ହେଣ୍ଡି ମାରୁଛନ୍ତି ଦଳଦଳ ଭେଣ୍ଡିଆ। ଯେଉଁ ଦେଶରେ ଲକ୍ଷ ଲକ୍ଷ ଲୋକ ଭୋକିଲା ପେଟରେ ଶୁଅନ୍ତି ସେଠାରେ ଭୋଜି ପର୍ବରେ କୁଢକୁଢ ଖାଦ୍ୟ ନଷ୍ଟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ମାତ୍ର ଏଠି ଗରିବ ପ୍ରତି ଧନୀର ସମ୍ବେଦନା ନ ରହିବା ଫଳରେ ସମାନ୍ତରାଳ ଭାବରେ ବଢୁଛି ଭୋକିଲା ପେଟର ଯନ୍ତ୍ରଣା ଓ ଖାଦ୍ୟ ନଷ୍ଟର ପରିମାଣ।
ଉପରୋକ୍ତ ପ୍ରେକ୍ଷାପଟରେ ଶେଷ କଥାଟି ହେଉଛି ଏବେ ଦାରିଦ୍ର୍ୟ କହିଲେ କେବଳ ପେଟର ଭୋକ ନୁହେଁ, ଆହୁରି ଅନେକ କିଛି। ଏକ ସଂପ୍ରସାରିତ ଅଭାବ। ଆମ ଆଧୁନିକ ଜୀବନ ଶୈଳୀ ଦାରିଦ୍ର୍ୟର ସଂଜ୍ଞାକୁ ପ୍ରସାରିତ କରିଦେଇଛି ଏବଂ ତାହା ଏବେ ଜୈବିକ ଦାରିଦ୍ର୍ୟ ଓ ସାମାଜିକ ଦାରିଦ୍ର୍ୟ ଭେଦରେ ଦ୍ୱିବିଧ, ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଦ୍ୱାରା ଆଗକୁ ହୁଏତ କେହି ଭୋକ ପେଟରେ ଶୋଇବେନି, କିନ୍ତୁ ସଂପ୍ରସାରିତ ସାମାଜିକ ଦାରିଦ୍ର୍ୟର ନୂଆ ପ୍ରସ୍ଥ ଭିତରକୁ ଅଧିକରୁ ଅଧିକ ଠେଲି ହୋଇଯିବ ମଣିଷ। ଉଭୟ ସରକାର ଓ ଜନତାର ଆଭିମୁଖ୍ୟରେ ପରିବର୍ତ୍ତନ ନ ଆସିଲେ ଏଥିରୁ ମୁକୁଳିବା ଏକ ଦୁରୂହ ବ୍ୟାପାର।
ଅଧ୍ୟକ୍ଷ, ଫୁଲବତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡିଆବେଡା, ମୟୁରଭଞ୍ଜ
ମୋ-୯୪୩୮୮୫୫୦୮