୪ ବର୍ଷ ତଳେ ହୋଇଥିଲା ପୋଷ୍ଟିଂ, ଭଡ଼ା ଘରୁ ଉଦ୍ଧାର ହେଲା ପୋଷ୍ଟମ୍ୟାନଙ୍କ ମୃତଦେହ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଗୋଠଗାଁ ପୋଷ୍ଟମ୍ୟାନଙ୍କ ମୃତଦେହକୁ ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଛି। ମୃତ ପୋଷ୍ଟମ୍ୟାନ ଜଣଙ୍କ ହେଲେ ଗଜପତି ଜିଲା ରାମଗିରି ବ୍ଲକ ଗୁଡ଼ିସାହିର ଅର୍ଜୁନ ରଇତଙ୍କ ପୁଅ ଗିରିଧାରୀ ରଇତ(୨୭)।
ସୂଚନା ଅନୁସାରେ, ଅର୍ଜୁନ ପାତ୍ରପୁର ବ୍ଲକ ଖରଣିପଡା ପଞ୍ଚାୟତ ଗୋଠଗାଁ ଗ୍ରାମର ପୋଷ୍ଟ ଅଫିସରେ ପ୍ରାୟ ଚାରି ବର୍ଷ ଧରି ପୋଷ୍ଟମ୍ୟାନ ଭାବରେ କାର୍ଯ୍ୟରତ ଥିଲେ। ଗ୍ରାମରେ ଗୋଟିଏ ଭୋଜି ପାଇଁ ଗୁଆ ଦେବା ପାଇଁ ଗ୍ରାମର କିଛି ଲୋକ ପୋଷ୍ଟମ୍ୟାନଙ୍କ ଭଡା ଘରକୁ ଯାଇଥିଲେ। ସେଠାରେ ପୋଷ୍ଟମ୍ୟାନ ଜଣଙ୍କ ଚେତାଶୂନ୍ୟ ହୋଇ ପଡ଼ିରହିଥିବା ଜାଣି ବାହାରକୁ ଆସି ସେମାନେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟମ୍ୟାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜରଡା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ତଦନ୍ତ ଆରମ୍ଭ କରିଛି।
Dharitri – Odisha’s No.1 Odia Daily

Share