ନୂଆଦିଲ୍ଲୀ,୨୩।୮: ଭାରତୀୟ ଡାକ ବିଭାଗ ଆମେରିକା ସରକାରଙ୍କ ନିକଟରେ ଜାରି ହୋଇଥିବା ଏକ୍ଜିକ୍ୟୁଟିଭ ଅର୍ଡର ନମ୍ବର ୧୪୩୨୪ (୩୦ ଜୁଲାଇ) ଅନୁଯାୟୀ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ଆଦେଶ ଅନୁସାରେ, ଆମେରିକାକୁ ପଠାଯାଉଥିବା ସାମଗ୍ରୀ ଉପରେ ୮୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଡ୍ୟୁଟି-ମୁକ୍ତ ଛାଡ଼ ସୁବିଧା ୨୯ ଅଗଷ୍ଟରୁ ବନ୍ଦ ହୋଇଯିବ। ଅର୍ଥାତଏବେ ଭାରତରୁ ଆମେରିକାକୁ ପଠାଯାଉଥିବା ପ୍ରତ୍ୟେକ ପାର୍ସଲ, ମୂଲ୍ୟ ଯାହା ହେଉନା କାହିଁକି, କଷ୍ଟମ ଡ୍ୟୁଟି ଲାଗୁ ହେବ। ତେବେ ୧୦୦ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଉପହାର ସାମଗ୍ରୀ ଉପରେ ଏହି ଛାଡ଼ ସୁବିଧା ଜାରି ରହିବ।
ଆମେରିକୀୟ ନିୟମ ଅନୁଯାୟୀ, ଡାକ ନେଟୱାର୍କ ମାଧ୍ୟମରେ ପଠାଯାଉଥିବା ସାମଗ୍ରୀ ଉପରେ ଏବେ ଟ୍ରାନ୍ସପୋର୍ଟ କ୍ୟାରିୟର କିମ୍ବା US Customs and Border Protection (CBP) ଦ୍ୱାରା ମାନ୍ୟତା ପ୍ରାପ୍ତ ଏଜେନ୍ସିମାନେ ଡ୍ୟୁଟି ଆଦାୟ କରିବେ। କିନ୍ତୁ ସମସ୍ୟା ହେଉଛି ଯେ CBP ଏପର୍ଯ୍ୟନ୍ତ କ୍ୱାଲିଫାଏଡ ପାର୍ଟି ଚୟନ ଓ ଡ୍ୟୁଟି ଆଦାୟ ପ୍ରକ୍ରିୟାକୁ ସ୍ପଷ୍ଟ କରିନାହିଁ। ଏହି କାରଣରୁ ଆମେରିକାକୁ ଯାଉଥିବା ଏୟାରଲାଇନ୍ସମାନେ ୨୫ ଅଗଷ୍ଟ ପରେ ଭାରତୀୟ ଡାକରୁ ପାର୍ସଲ ଗ୍ରହଣ କରିବାକୁ ମନା କରିଦେଇଛନ୍ତି, କାରଣ ସେମାନେ ଏହା ପାଇଁ ଟେକ୍ନିକାଲ ଓ ଅପରେସନାଲ ଦିଗରୁ ପ୍ରସ୍ତୁତ ନାହାନ୍ତି।
ଏହି ପରିସ୍ଥିତିକୁ ଦେଖି ଭାରତୀୟ ଡାକ ବିଭାଗ ୨୫ ଅଗଷ୍ଟରୁ ଆମେରିକା ପାଇଁ ସମସ୍ତ ପ୍ରକାର ଡାକ ଆର୍ଟିକଲର ବୁକିଂ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ତେବେ, ପତ୍ର/ଡକ୍ୟୁମେଣ୍ଟ ଏବଂ ୧୦୦ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଉପହାର ଏବେ ମଧ୍ୟ ଗ୍ରହଣ ଓ ପଠାଯିବ।
ଡାକ ବିଭାଗ କହିଛି ଯେ ଏହି ମାମଲା ଉପରେ ନଜର ରଖାଯାଇଛି ଏବଂ ସମସ୍ତ ସମ୍ପୃକ୍ତ ଏଜେନ୍ସିଙ୍କ ସହ ମିଳିତ ଭାବେ ଶୀଘ୍ର ସେବା ପୁନଃପ୍ରାରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁ ଗ୍ରାହକମାନେ ପୂର୍ବରୁ ପାର୍ସଲ ବୁକ କରିଛନ୍ତି କିନ୍ତୁ ଏବେ ତାହା ଆମେରିକାକୁ ପଠାଯାଇ ପାରିବ ନାହିଁ, ସେମାନେ ପୋଷ୍ଟେଜ ରିଫଣ୍ଡ ପାଇପାରିବେ। ଡାକ ବିଭାଗ ଗ୍ରାହକମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛ। ଶୀଘ୍ର ସମ୍ପୂର୍ଣ୍ଣ ସେବା ପୁନଃସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛି।