ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ୍‌: ବିନା ରିସ୍କରେ ଏମିତି ସଞ୍ଚୟ କରନ୍ତୁ ୧୭ ଲକ୍ଷ ଟଙ୍କାର ଫଣ୍ଡ

ନୂଆଦିଲ୍ଲୀ,୧୯।୯: ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ତାଙ୍କ ସଞ୍ଚୟ ଏପରି ଜାଗାରେ ବିନିଯୋଗ ହେଉ ଯେଉଁଠି ଟଙ୍କା ନିରାପଦ ରହିବ ଏବଂ ଭଲ ରିଟର୍ନ ମଧ୍ୟ ମିଳିବ। ଭବିଷ୍ୟତରେ ପିଲାଙ୍କ ଶିକ୍ଷା, ବିବାହ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବଡ଼ ଫଣ୍ଡର ଆବଶ୍ୟକତା ହେଉଛି। ଏପରି ସ୍ଥିତିରେ ପୋଷ୍ଟ ଅଫିସର ରିକରିଂ ଡିପୋଜିଟ (RD) ସ୍କିମ ଏକ ଉତ୍ତମ ବିକଳ୍ପ ଭାବେ ଆଗରେ ଆସୁଛି। ଏହି ସ୍କିମ କେବଳ ନିରାପଦ ନୁହେଁ, ବରଂ ନିୟମିତ ସଞ୍ଚୟ ମାଧ୍ୟମରେ ବଡ଼ ଫଣ୍ଡ ତିଆରିରେ ମଧ୍ୟ ସାହାଯ୍ୟ କରେ। ଆସନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା।

ପୋଷ୍ଟ ଅଫିସ RD ସ୍କିମ କ’ଣ?
ପୋଷ୍ଟ ଅଫିସର ରିକରିଂ ଡିପୋଜିଟ(ଆରଡି) ହେଉଛି ଏକ ସରକାରୀ ସଞ୍ଚୟ ଯୋଜନା, ଯେଉଁଥିରେ ପ୍ରତି ମାସରେ ଏକ ନିର୍ଦ୍ଧିଷ୍ଟ ରାଶି ଜମା କରିବାକୁ ପଡ଼େ। ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏଥିରେ କୌଣସି ବଜାର ଅଡୁଆ ନାହିଁ। ଏହି ଯୋଜନାରେ ଆପଣଙ୍କୁ ବାର୍ଷିକ ୬.୭% ସୁଧ ହାର ମିଳେ, ଯାହା କମ୍ପାଉଣ୍ଡିଂ ସହିତ ବୃଦ୍ଧି ପାଏ। ଅର୍ଥାତ ଏଠାରେ ସୁଧ ଉପରେ ମଧ୍ୟ ସୁଧ ମିଳେ, ଯାହା ଫଳରେ ଆପଣଙ୍କ ରାଶି ଦ୍ରୁତ ଗତିରେ ବୃଦ୍ଧି ପାଏ।

କିପରି ହେବ ୧୭ ଲକ୍ଷର ଫଣ୍ଡ?
ମନେକରନ୍ତୁ ଆପଣ ପ୍ରତି ମାସରେ ୧୦,୦୦୦ ଟଙ୍କା ଏହି RDରେ ବିନିଯୋଗ କରୁଛନ୍ତି। ୫ ବର୍ଷ ପାଇଁ ବିନିଯୋଗ କଲେ ଆପଣ ମୋଟ ୬ ଲକ୍ଷ ଟଙ୍କା ଜମା କରିବେ ଏବଂ ସୁଧ ସହିତ ଆପଣଙ୍କୁ ପ୍ରାୟ ୭,୧୩,୬୫୯ ଟଙ୍କା ମିଳିବ, ଅର୍ଥାତ ୧.୧୩ ଲକ୍ଷ ଟଙ୍କାର ଲାଭ। ଯଦି ଆପଣ ୧୦ ବର୍ଷ ପାଇଁ ବିନିଯୋଗ କରନ୍ତି, ତେବେ ଆପଣଙ୍କର ମୋଟ ବିନିଯୋଗ ୧୨ ଲକ୍ଷ ଟଙ୍କା ହେବ, କିନ୍ତୁ କମ୍ପାଉଣ୍ଡ ସୁଧ ହେତୁ ଆପଣଙ୍କ ରାଶି ବୃଦ୍ଧି ପାଇ ୧୭,୦୮,୫୪୬ ଟଙ୍କା ହୋଇପାରେ। ଅର୍ଥାତ ଆପଣଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କାର ଅତିରିକ୍ତ ଲାଭ ମିଳିବ। ଏହି ସ୍କିମ ବିଶେଷ କରି ସେହି ଲୋକଙ୍କ ପାଇଁ ଉତ୍ତମ ଯେଉଁମାନେ ଧୀରେ ଧୀରେ ଫଣ୍ଡ ତିଆରି କରିବାକୁ ଚାହାଁନ୍ତି ଏବଂ ଝୁକି ନେବାକୁ ଚାହାଁନ୍ତି।

କିପରି ଖୋଲିବେ ଆକାଉଣ୍ଟ ଏବଂ ନିୟମ କ’ଣ?
RD ଆକାଉଣ୍ଟ ଖୋଲିବା ବେଶ ସହଜ। ଆପଣ ମାତ୍ର ୧୦୦ ଟଙ୍କାରୁ ଏହା ଆରମ୍ଭ କରିପାରିବେ। ଏଥିରେ କୌଣସି ସର୍ବାଧିକ ଜମା ସୀମା ନାହିଁ, ଅର୍ଥାତ ଆପଣ ନିଜର ସାମର୍ଥ୍ୟ ଅନୁଯାୟୀ ଯେତେ ଇଚ୍ଛା ବିନିଯୋଗ କରିପାରିବେ। ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପିଲା ମଧ୍ୟ ତାଙ୍କ ପିତାମାତାଙ୍କ ସହ ମିଶି ଏହି ଆକାଉଣ୍ଟ ଖୋଲିପାରିବେ। ଯେତେବେଳେ ପିଲା ୧୮ ବର୍ଷର ହେବ, ସେତେବେଳେ ତାଙ୍କୁ ନୂଆ KYC ଏବଂ ଫର୍ମ ପୂରଣ କରିବାକୁ ପଡ଼ିବ।

ଏହି ସ୍କିମର ମୋଟ ଅବଧି ୫ ବର୍ଷ ଅଟେ। ଆବଶ୍ୟକତା ଅନୁଯାୟୀ ୫ ବର୍ଷ ପୂରଣ ହେବା ପରେ ଏହି ଆକାଉଣ୍ଟକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ। ୩ ବର୍ଷ ପୂରଣ ହେବା ପରେ ଆକାଉଣ୍ଟ ବନ୍ଦ କରିବାର ବିକଳ୍ପ ମଧ୍ୟ ରହିଛି। ଯଦି ଆକାଉଣ୍ଟ ଚାଲୁ ରହିଥିବା ସମୟରେ ଖାତାଧାରୀଙ୍କର ମୃତ୍ୟୁ ହୁଏ, ତେବେ ନମିନି ଟଙ୍କା ଉଠାଇପାରିବେ କିମ୍ବା ଆକାଉଣ୍ଟକୁ ଆଗକୁ ଜାରି ରଖିପାରିବେ।

ଏହି ସ୍କିମ ନିରାପଦ ଏବଂ ସ୍ଥିର ରିଟର୍ନ ପ୍ରଦାନ କରୁଛି, ଯାହା ଦୀର୍ଘକାଳୀନ ଆର୍ଥିକ ଯୋଜନା ପାଇଁ ଏକ ଆଦର୍ଶ ବିକଳ୍ପ ହେଉଛି।