କରୋନାର ସମ୍ଭାବ୍ୟ ଚତୁର୍ଥ ଲହର: ସତର୍କ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ, ୧୦ା୪: କିଛିଦିନ ହେଲା କୋଭିଡ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ କେତେକ ରାଜ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ଏପରିକି ଜନସାଧାରଣଙ୍କୁ ସତର୍କତା ରହିବାକୁ ପରାମର୍ଶ ଦିଆଯାଇଛି। ହରିୟାଣା ସରକାର ସର୍ବସାଧାରଣ ସ୍ଥାନ ଏବଂ ସ୍କୁଲ୍‌ରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବା ସହ କୋଭିଡ୍‌ର ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

ସେହିପରି କେରଳ ସରକାର ଗର୍ଭବତୀ ମହିଳା, ବରିଷ୍ଠ ନାଗରିକ ଏବଂ ଗୁରୁତର ରୋଗ ଥିବା ଲୋକମାନଙ୍କ ନିମନ୍ତେ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। ପଣ୍ଡିଚେରୀରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସମୀକ୍ଷା ବୈଠକରେ ରାଜ୍ୟଗୁଡ଼ିକୁ ସତର୍କ ରହିବା ସହ ହସ୍ପିଟାଲଗୁଡ଼ିକର ପ୍ରସ୍ତୁତି ଅନୁଧ୍ୟାନ କରିବା ଲାଗି ପରାମର୍ଶ ଦେଇଥିଲେ। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକରେ ଜରୁରୀ ପ୍ରସ୍ତୁତି ଆକଳନ କରିବା ଲାଗି ସୋମବାର ଓ ମଙ୍ଗଳବାର ଦେଶବ୍ୟାପୀ ମକ୍‌ ଡ୍ରିଲ୍‌ ଆରମ୍ଭ ହେବ। ଏପରିକି ହସ୍ପିଟାଲଗୁଡ଼ିକରେ ଆଇସିୟୁ ବେଡ୍‌, ଅକ୍ସିଜେନ୍‌ ଯୋଗାଣ ଓ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥା ରହିଛି କି ନାହିଁ, ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯିବ। କୋଭିଡ୍‌ର ସମ୍ଭାବ୍ୟ ଚତୁର୍ଥ ଲହର ପାଇଁ ସତର୍କ ରହିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌.୭ ଏବଂ ବର୍ତ୍ତମାନର ସବ୍‌ଭାରିଆଣ୍ଟ ଏକ୍ସବିବି୧.୧୬ ଯୋଗୁ ସଂକ୍ରମଣ ବୃଦ୍ଧି ପାଉଛି।