ନୂଆଦିଲ୍ଲୀ,୪।୨: ସ୍ବାଧୀନତା ପରେ ପ୍ରଥମ ଥର ପାଇଁ, ଭାରତର ରାଷ୍ଟ୍ରପତି ଭବନରେ ଶାହାନାଇ ଶବ୍ଦ ପ୍ରତିଧ୍ୱନିତ ହେବାକୁ ଯାଉଛି। କାରଣ ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ନିୟୋଜିତ ପିଏସ୍ଓ ପୁନମ୍ ଗୁପ୍ତା ଏବଂ ସିଆର୍ପିଏଫ୍ ଅଧିକାରୀ ଅବନୀଶ ସିଂହଙ୍କୁ ରାଇସିନା ହିଲ୍ସରେ ଥିବା ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଅନୁମତି ମିଳିଛି। ଦୁହେଁ ଏହି ମାସରେ ଭାଲେଣ୍ଟାଇନ୍ସ ସପ୍ତାହରେ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ୧୨ ଫେବୃଆରୀରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ହେବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ପୁନମ୍ ଗୁପ୍ତା ରାଷ୍ଟ୍ରପତି ଭବନରେ ବିବାହ କରିବା ପାଇଁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କଠାରୁ ଅନୁମତି ମାଗିଥିଲେ। ଅନୁମତି ପାଇବା ପରେ, ରାଷ୍ଟ୍ରପତି ଭବନରେ ଏବେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପୁନମ ଏଠାରେ ତାଙ୍କ ବନ୍ଧୁ ଅବନୀଶଙ୍କ ସହ ବିବାହ କରିବେ।
ଜାଣନ୍ତୁ ପୁନମ୍ ଏବଂ ଅବନିଶ ସିଂହ କିଏ?
ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିଯୁକ୍ତ ପୁନମ୍ UPSC ମାଧ୍ୟମରେ କେନ୍ଦ୍ରୀୟ ସୁରକ୍ଷା ବାହିନୀରେ ଯୋଗ ଦେଇଛନ୍ତି। ୨୦୧୮ ମସିହାରେ ତାଙ୍କୁ ଆସିଷ୍ଟାଣ୍ଟ କମାଣ୍ଡର ଭାବରେ ନିଯୁକ୍ତ କରାଯାଇଥିଲା। ପୁନମ ବିହାରରେ ନକ୍ସଲ ଅପରେସନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପୁନମ ୭୪ତମ ଗଣତନ୍ତ୍ର ଦିବସ ଅବସରରେ ମହିଳା ଦଳର ମଧ୍ୟ ନେତୃତ୍ୱ ନେଇଥିଲେ।
ପୁନମଙ୍କ ଭାବି ସ୍ବାମୀ ଅବନୀଶ ସିଂହ ମଧ୍ୟ CRPFରେ ଜଣେ ସହାୟକ କମାଣ୍ଡର। ଅବନୀଶ ବର୍ତ୍ତମାନ ଜମ୍ମୁ ଏବଂ କାଶ୍ମୀରରେ ପୋଷ୍ଟିଂ ହୋଇଛନ୍ତି। ଦୁହେଁ ପ୍ରେମ ବିବାହ କରିବାକୁ ଯାଉଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବିବାହ ଉତ୍ସବରେ କେବଳ ଉଭୟ ପରିବାରର ନିକଟତର ଲୋକମାନେ ଯୋଗ ଦେବେ। ପୁନମ ମୂଳତଃ ମଧ୍ୟପ୍ରଦେଶର।
ତେବେ ୩୦୦ ଏକର ଜମିରେ ପରିବ୍ୟାପ୍ତ ରାଷ୍ଟ୍ରପତି ଭବନ ବ୍ରିଟିଶ ଶାସନ ସମୟରେ ନିର୍ମିତ ହୋଇଥିଲା। ଏଡୱିନ ଲୁଟିୟନ୍ସ ଏହି କୋଠାର ଡିଜାଇନ କରିଥିଲେ। ସ୍ବାଧୀନତା ପୂର୍ବରୁ ଏହି କୋଠା ଭାଇସରୟଙ୍କୁ ଆବଣ୍ଟିତ କରାଯାଇଥିଲା, କିନ୍ତୁ ସ୍ବାଧୀନତା ପରେ ଭାରତର ରାଷ୍ଟ୍ରପତି ଏହି କୋଠା ପାଇଥିଲେ। ରାଷ୍ଟ୍ରପତି ଭବନରେ ୩୪୦ଟି କୋଠରୀ ଅଛି।
ଏହି କୋଠାରେ ଏପର୍ଯ୍ୟନ୍ତ ଅନେକ ଭୋଜି ଆୟୋଜନ କରାଯାଇଛି, କିନ୍ତୁ ତାହା କେବଳ ରାଜକୀୟ ରହିଆସିଛି। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ଏକ ବିବାହ ଉତ୍ସବ ଆୟୋଜନ କରାଯାଉଛି। ଏହି ସମାରୋହ ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ। ସୁରକ୍ଷା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନିଆଯାଇଛି। ତଥାପି, ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ।