ନୂଆପଡ଼ା,୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା ହେବ ସ୍ବଚ୍ଛ ଓ ସୁନ୍ଦର। ବିଶ୍ବ ପରିବେଶ ଦିବସ ଅବସରରେ ଏହାକୁ ନେଇ ଏକ କର୍ମଶାଳା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ ଖାନ, ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାଶଙ୍କ ସମେତ ସମସ୍ତ ବିଡିଓ, ଜିଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ। ଅତିଥିମାନେ ପଲିଥିନ ଓ ପ୍ଲାଷ୍ଟିକ କିଭଳି ଭାବରେ ଆମର ସୁନ୍ଦର ପରିବେଶର ଧ୍ବଂସର କାରଣ ସାଜିଛି ତାହା ଅବଗତ କରାଇଥିଲେ। ଜିଲାପାଳଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା କିଭଳି ଭାବରେ ସଫଳ ହୋଇପାରିବ ସେଥିପାଇଁ ସମନ୍ବିତ ଯୋଜନାର ରୂପରେଖ ପାୱାରପଏଣ୍ଟ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା।ଏହି ଅବସରରେ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକମୁକ୍ତ ଜିଲା ଭାବେ ଜିଲାପାଳ ଘୋଷଣା କରିଥିଲେ। ବିଶ୍ବ ପରିବେଶ ଦିବସ ପାଇଁ ଆର୍ଥ ଆୱାର ପାଳନ କରି ଜିଲାରେ ରାତି ସାଢେ ୭ଟାରୁ ୮ଟା ପର୍ଯ୍ୟନ୍ତ ବିଦ୍ୟୁତ ଚାଳିତ ଉପକରଣ ସହ ବିଜୁଳି ବ୍ୟବହାର ବନ୍ଦ କରିବା ପାଇଁ ଜିଲାପାଳ ଜିଲାବାସୀଙ୍କୁ ଆହ୍ବାନ କରିଥିଲେ।