ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼ କୁଢ଼ ମଇଳା, ଆବର୍ଜନା ପଡ଼ି ରହିଛି। ଏପରିକି ବିଭିନ୍ନ ସମୟରେ ସେଠାରେ ଅଗ୍ନି ସଂଯୋଗ ଯୋଗୁ ସମ୍ପୃକ୍ତ ଅଞ୍ଚଳ ଧୂଆଁମୟ ହୋଇ ପ୍ରଦୂଷିତ ହେଉଛି। କେବଳ ସେତିକି ନୁହେଁ, ସମ୍ପୃକ୍ତ ସ୍ଥାନରେ ନିଆଁ ହୁତୁହୁତ ହୋଇ ଜଳୁଥିବା ଯୋଗୁ କୌଣସି ମୁହୂର୍ତ୍ତରେ ବଡ଼ ଅଗ୍ନିକାଣ୍ଡ ଘଟିବା ମଧ୍ୟ ଆଶଙ୍କା ରହିଛି। ଶୁକ୍ରବାର ବରଗଡ଼ ସହର ଗୌଡ଼ପଡ଼ା ଛକରୁ ବିଶିପଡ଼ାକୁ ଯାଇଥିବା ରାସ୍ତାର ସ୍ଥାନୀୟ ଟାଉନ ଥାନା ପଛପଟ ତଥା ସେଲ୍ସଟ୍ୟାକ୍ସ ଅଫିସ ସମ୍ମୁଖ ଏବଂ ଲେଙ୍ଗୁ ମିଶ୍ର ଛକଠାରୁ ଉମା ଟକିଜ ପଟକୁ ଯାଇଥିବା ରାସ୍ତାପାର୍ଶ୍ୱ ଆବର୍ଜନା ସ୍ତୁପରେ ଏଭଳି ନିଆଁ ଜଳିବା ସହିତ ଅଞ୍ଚଳ ଧୂଆଁମୟ ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ଏହି ୨ସ୍ଥାନ ନୁହେଁ, ସହରର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏଭଳି ନିଆଁ ସଂଯୋଗ କରି ଆବର୍ଜନାକୁ ପୋଡ଼ି ଦିଆଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଗୋଟିଏ ପଟେ ବରଗଡ଼ ସହର ବିକଶିତ ଏବଂ ସୌନ୍ଦର୍ଯ୍ୟକରଣ ଆଡ଼କୁ ମୁହାଁଉଥିବା କୁହାଯାଉଥିବାବେଳେ ଅନ୍ୟପଟେ ସହର ମଧ୍ୟରେ ଆବର୍ଜନା ସ୍ତୁପରେ ନିଆଁ ଯୋଗୁ ଅଞ୍ଚଳ ଧୂଆଁମୟ ହେବା ଚର୍ଚ୍ଚାର ବିଷୟ ହୋଇଛି।
ଗତ କିଛିଦିନ ହେଲା ସହରର ବିଭିନ୍ନ ଗଳିକନ୍ଦି ରାସ୍ତାରେ ଏଭଳି ସମସ୍ୟା ଅଧିକ ହୋଇ ପଡ଼ିଛି। ରାସ୍ତାପାର୍ଶ୍ୱ ଡମ୍ପିଂ ୟାର୍ଡ ଭଳି ଲାଗୁଛି। ଅନ୍ୟପଟେ ସହରରୁ ନିଷ୍କାସିତ ମଇଳା ଆବର୍ଜନା ପାଇଁ ଏପର୍ଯ୍ୟନ୍ତ ସ୍ଥାୟୀ ଡମ୍ପିଂୟାର୍ଡଟିଏ ନିର୍ମାଣ ହୋଇ ପାରି ନ ଥିବା ଯୋଗୁ ସହରରେ ଏଭଳି ସମସ୍ୟା ଉପୁଜିଛି। ପୂର୍ବରୁ ସହରରୁ ନିର୍ଗତ ଆବର୍ଜନାକୁ ସହର ଉପକଣ୍ଠ ମୁଣ୍ଡାପଡ଼ାରେ ପକାଇ ଦିଆଯାଉଥିଲା। ସ୍ଥାନୀୟ ଲୋକେ ଅଭିଯୋଗ ଆଣିବା ପରେ ଘଟଣାଟି ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଥିଲା ଏବଂ ନ୍ୟାୟାଳୟର ଆଦେଶ ପରେ ସେହି ଡମ୍ପିଂୟାର୍ଡ ବନ୍ଦ ହୋଇ ଯାଇଛି। ଏହାପରେ ସହରର ଆବର୍ଜନା ପକାଇବା ପୌର ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କିଛିଦିନ ତଳେ ବରଗଡ଼ ବ୍ଲକ କଟାପାଲି ଅଞ୍ଚଳକୁ ଯାଇଥିବାବେଳେ ଆବର୍ଜନା ବୋଝେଇ ଟ୍ରାକ୍ଟର ଗୁଡ଼ିକୁ ଡି.ଜେ ବଜାଇ ସ୍ବାଗତ କରି ଗ୍ରାମବାସୀ ଅଭିନବ ପ୍ରତିବାଦ କରିଥିଲେ ଏବଂ ସେହି ଆବର୍ଜନା ବୋଝେଇ ଗାଡ଼ିକୁ ଫେରାଇ ଦେଇଥିଲେ। ଏହାପରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ପରିସରରେ ଥିବା ଏକ କୂଅରେ ଆବର୍ଜନା ପକାଯାଇଥିଲା। ଏଭଳି ସ୍ଥିତିରେ ସହରରୁ ନିର୍ଗତ ଆବର୍ଜନାକୁ କେଉଁଠାରେ ପକାଯିବ, ତାହା ପୌର ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ ବିଭିନ୍ନ ଗଳିକନ୍ଦିକୁ କିଛିଦିନ ହେଲା ଗାଡ଼ି ମଧ୍ୟ ଆସୁ ନ ଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ସହରରୁ ଆବର୍ଜନା ନିଷ୍କାସନ ପାଇଁ ତ୍ୱରିତ ପଦକ୍ଷେପ ନିଆ ନ ଗଲେ କିମ୍ବା ସ୍ଥାୟୀ ଡମ୍ପିଂୟାର୍ଡ ନିର୍ମାଣ କରା ନ ଗଲେ ସାରା ସହର ଆବର୍ଜନାମୟ ହେବ। ଏଥିସହ ସହର ବିକଶିତ ବରଗଡ଼ ବଦଳରେ ବିଷକୁଣ୍ଡରେ ପରିଣତ ହେବ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।