ନୂଆଦିଲ୍ଲୀ,୨୭ା୧୨(ପି.ଟି.):ଭାରତରେ କୋଭିଡ୍-୧୯ ମହାମାରୀ ବୃହତ୍ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ ଉଭା ହୋଇଛି। ଜରୁରୀ ପଦକ୍ଷେପ ନିଆ ନ ଗଲେ ଏହା ପ୍ରତିବର୍ଷ ଆହୁରି ଖରାପ ସ୍ଥିତି ଉପୁଜାଇବ ବୋଲି ବ୍ରିଟେନ୍ରେ ଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ସତର୍କ କରାଇଛନ୍ତି।
ପ୍ରଦୂଷଣ ବଢ଼ିଚାଲିଥିବାବେଳେ ବାହୁବାହକ ରୋଗଗୁଡ଼ିକର ଉପଯୁକ୍ତ ନିଦାନ ହୋଇପାରୁ ନ ଥିବାରୁ ଚିକିତ୍ସା ମଧ୍ୟ କରାଯାଉନାହିଁ। ଏଥିଯୋଗୁ ଆଗକୁ ଲୋକେ ଶ୍ୱାସ ଓ ହୃତ୍ ସମ୍ପର୍କିତ ନାନା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦିଲ୍ଲୀରେ ୪୦% ପ୍ରଦୂଷଣ ପରିବହନ କ୍ଷେତ୍ର ଯୋଗୁ ହେଉଥିବା ବିଷୟ ମଙ୍ଗଳବାର କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସ୍ବୀକାର କରିଥିଲେ। ଜୀବାଶ୍ମ ଇନ୍ଧନ ବ୍ୟବହାର ଯୋଗୁ ଅଙ୍ଗାରକାମ୍ଳ ବୃଦ୍ଧି ପାଉଛି। ତେଣୁ ଜୈବ ଇନ୍ଧନକୁ ବିକଳ୍ପ ରୂପେ ବ୍ୟବହାର କରାଯିବା ଉପରେ ଗଡ଼କରୀ ଗୁରୁତ୍ୱ ଦେଇଥିଲେ। ପାର୍ଲାମେଣ୍ଟର ସଦ୍ୟ ସମାପ୍ତ ଶୀତ ଅଧିବେଶନ ବେଳେ ସରକାର ସୂଚନା ଦେଇଥିଲେ, ପ୍ରଦୂଷଣ ଯୋଗୁ ଶ୍ୱାସଗତ ରୋଗ ବଢ଼ୁଥିବା ନେଇ ସମସ୍ତେ ଅବଗତ। ତେବେ ଉଚ୍ଚ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ସ୍ତର ଏବଂ ଫୁସ୍ଫୁସ୍ ରୋଗର ସମ୍ପର୍କ ଥିବା ନେଇ କୌଣସି ନିଷ୍କର୍ଷ ବାହାରିଥିବା ତଥ୍ୟ ନାହିଁ। ଏନେଇ ଲିଭରପୁଲ୍ ପୁଲମୋନୋଜିଷ୍ଟ ତଥା ଭାରତ ସରକାରଙ୍କ କୋଭିଡ୍-୧୯ ପରାମର୍ଶଦାତା କମିଟିର ପୂର୍ବତନ ସଦସ୍ୟ ମନୀଷ ଗୌତମ କହିଛନ୍ତି, ସରକାର ବାୟୁ ପ୍ରଦୂଷଣ ରୋକିବା ଉପରେ ଅଧିକ ଫୋକସ୍ କରିବା ଉଚିତ। ଏହା ଅପ୍ରିୟ ସତ୍ୟ ଯେ, ଉତ୍ତର ଭାରତରେ ବସବାସ କରୁଥିବା ଅନେକ ନିୟୁତ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଲେଣି। ବର୍ତ୍ତମାନ ସରକାର ଯାହାକିଛି ମ୍ୟାନେଜ କରୁଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ। ବାୟୁ ପ୍ରଦୂଷଣଜନିତ ଏକ ବିସ୍ତୃତ ଲୁକ୍କାୟିତ ବୋଝକୁ ବର୍ତ୍ତମାନ ସୁଦ୍ଧା ଠାବ କରାଯାଇପାରି ନାହିଁ। ଅନେକ ବର୍ଷ ଧରି ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିଲେ ଫୁସ୍ଫୁସ୍ ଉପରେ ନକାରାମତ୍କ ପ୍ରଭାବ ପଡ଼ିବ। ତେଣୁ ନୀତି ପ୍ରଣେତାମାନେ ଏହାର ଆଗୁଆ ନିଦାନ ଓ ଚିକିତ୍ସା ପାଇଁ ‘ଲଙ୍ଗ୍ ହେଲ୍ଥ ଟାସ୍କ୍ ଗ୍ରୁପ୍’ ପ୍ରତିଷ୍ଠା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଡିସେମ୍ବରରେ ଦିଲ୍ଲୀ ହସ୍ପିଟାଲଗୁଡ଼ିକରେ ଶ୍ୱାସଜନିତ ରୋଗୀଙ୍କ ସଂଖ୍ୟା ୨୦ରୁ ୩୦% ପର୍ଯ୍ୟନ୍ତ ବଢ଼ୁଛି। ସେହି ରୋଗୀଙ୍କ ମଧ୍ୟରେ ଅନେକ ଛୋଟପିଲା ଓ ପ୍ରଥମ ଥର ସଂକ୍ରମିତ ବ୍ୟକ୍ତି ରହିଛନ୍ତି।