ବରଗଡ଼,୧୭।୯(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭେଡେନ ଥାନା ଥୁଆପାଲି ଗ୍ରାମ ନିକଟ କପାବାରିରେ କିଛି ଶିଳ୍ପାନୁଷ୍ଠାନ ପାଉଁଶ ଗୁଣ୍ଡ ଗଦା କରୁଥିବା ଯୋଗୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ବୁଧବାର ଗ୍ରାମବାସୀ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଦାବିପତ୍ରରେ ଉଲ୍ଲେଖ ରହିଛି, ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ କିଛି ଶିଳ୍ପପତି ସେମାନଙ୍କ ଶିଳ୍ପାନୁଷ୍ଠାନରୁ ନିର୍ଗତ ପାଉଁଶ ଗୁଣ୍ଡ (ଫ୍ଲାଏଆସ୍) ସ୍ଥାନୀୟ କପାବାରି ଜମିରେ ଗଦା କରୁଛନ୍ତି। କେତେକ ସ୍ଥଳେ ଗାତ ଖୋଳି ତାକୁ ପୋତି ଦିଆଯାଉଛି। ତେବେ ସ୍ତୁପ ଭଳି ତାହା ସେଠାରେ ରହିଥିବା ଯୋଗୁ ତାର ଯଥେଷ୍ଟ କୁପ୍ରଭାବ ଅଞ୍ଚଳରେ ପଡୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଯାତାୟାତ କ୍ଷେତ୍ରରେ ଅସୁବିଧା ହେଉଥିବା ବେଳେ ଶରୀର ପ୍ରତି କୁପ୍ରଭାବ ପଡୁଥିବା ଅଭିଯୋଗ ହୋଇଛି। ତେବେ ଗାତ ଖୋଲି ତାକୁ ସେଠାରେ ପୋତି ଦିଆଯାଉଥିବା ଯୋଗୁ ସେଥିରେ ପଡି ଜୀବନହାନି ହେବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀମାନେ କହିଛନ୍ତି।
ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ତାହା ଆଗାମୀ ପିଢି ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ କେଉଁ ଶିଳ୍ପାନୁଷ୍ଠାନରୁ ତାହା ଆସୁଛି ଏବଂ ଏଥିରେ କାହାର ହାତ ରହିଛି, ଏପର୍ଯ୍ୟନ୍ତ ଗ୍ରାମବାସୀମାନେ ତାହା ଜାଣି ପାରି ନାହାନ୍ତି। ଫଳରେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଗ୍ରାମର ଆନନ୍ଦ ବେହେରା, ମୁରଲି ଭୁଏଙ୍କ ସମେତ ଅନେକ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।