ଗଞ୍ଜାମ,୩୦।୫(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦର ପୁର କଲେଜ ରୋଡ୍ଠାରେ ଶନିବାର ଅପରାହ୍ନରେ ସାପ୍ତାହିକ ହାଟର ଶୁଭାରମ୍ଭ ହେବ । ସହରରେ ପ୍ରାୟ ଚାଳିଶି ବର୍ଷ ପୂର୍ବେ ପ୍ରତ୍ୟେକ ଶନିବାର ସାପ୍ତାହିକ ହାଟ ବସୁଥିଲା l କୌଣସି କାରଣରୁ ତାହା ବନ୍ଦ ହୋଇ ଯାଇଥିଲା। ବର୍ତମାନ ଉକ୍ତ ହାଟ ଖୋଲିବା ନେଇ ଜଣାପଡ଼ିବା ପରେ ରାଜନୀତି ଆରମ୍ଭ ହୋଇ ଯାଇଛି ।
ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ ସହରରେ ଉର୍ନୟନ କାର୍ଯ୍ୟ ଠପ ହୋଇ ଯାଇଥିବା ବେଳେ ହାଟ ଖୋଲିବା ନେଇ ଏତେ ତତ୍ପରତା କାହିଁକି ବୋଲି ବିଭିନ୍ନ ହୋଟେଲ,ଚା ପାନ ଦୋକାନରେ ଲୋକେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ବର୍ଷା ଦିନ ଆରମ୍ଭ ହେଲାଣି ତଥାପି ସହରର ମୁଖ୍ୟ ଡ୍ରେନ ମରାମତି ହୋଇନି। ଫଳରେ ଦୁଇତିନିଦିନ ବର୍ଷା ହେଲେ ବର୍ଷା ପାଣିରେ ସହର ଭାସିବ । ବଜାର ଓ ବିଭିନ୍ନ ସାହିରେ ଷ୍ଟ୍ରିଟ ଲାଇଟ ଜଳୁନି । ଏମିତିକି ଗଞ୍ଜାମ ସହରର ଐତିହ୍ୟ ପୋତାଗଡ଼ରେ ମଧ୍ୟ ଷ୍ଟ୍ରିଟ ଲାଇଟ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସେଥିପାଇଁ କୌଣସି ପଦକ୍ଷେପ ନିଆ ଯାଉନି । କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କ ଦ୍ୱାରା ନିର୍ମିତ ସାଧାରଣ ଲୋକଙ୍କ ହିତ ପାଇଁ ନିର୍ମାଣ ହୋଇଥିବା ଶୌଚାଳୟ ଗୁଡିକ ବ୍ୟବହାର ନହୋଇ ଭାଙ୍ଗିରୁଜି ଗଲାଣି । ଠିକାଦାର ପ୍ରୀତି ଯୋଗୁ ନିମ୍ନମାନର କାର୍ଯ୍ୟ କରି ଠିକାଦାର ବିଲ ପାଇ ଯାଉଥିବା ବେଳେ ଅସୁବିଧା ଭୋଗ କରୁଛନ୍ତି ଅଞ୍ଚଳବସୀl ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ତାହା ଲୋକଙ୍କ କାମରେ ଆସୁନି। ଏଥିସହ ସହରକୁ ଆସୁଥିବା ବିଭିନ୍ନ ପରିବା ବେପାରୀ ମାନଙ୍କ ପାଇଁ ଏନଏସି ପ୍ରଶାସନ ଭେଣ୍ଡିଂ ଜୋନ ର୍ନିମାଣ କରିଛି । କିନ୍ତୁ ଉକ୍ତ ଭେଣ୍ଡିଂ ଜୋନରେ ବେପାରୀ ମlନେ ନବସି ସହର ବିଭିନ୍ନ ଗଳି ରାସ୍ତାରେ ବସି ନିଜ ବେପାର କରୁଛନ୍ତି ।ଏଥିପ୍ରତି କାହାର ନିଘା ନାହିଁ । ଉକ୍ତ ଭେଣ୍ଡିଂ ଜୋନ ଏବେ ବସ ଷ୍ଟପ ପାଲଟିଛି l ହାଟ ଖୋଲିଲେ ଲୋକଙ୍କ ସୁବିଧା ହେବ ଏଥିରେ ଦ୍ବିମତ ନାହିଁ କିନ୍ତୁ ସହରର ଅନ୍ୟାନ୍ୟ ଜିନିଷ ପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଭଲ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।