୧୬ ବର୍ଷୀୟ ବାଳକଙ୍କୁ ବଳାତ୍କାର: ରାଜନେତା ସମେତ ୧୪ ଅଭିଯୁକ୍ତ

ତିରୁଅନନ୍ତପୁରମ,୧୬।୯: କେରଳରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ରାଜନେତା, ଦୁଇ ସରକାରୀ କର୍ମଚାରୀ ଓ ଜଣେ ଫୁଟବଲ କୋଚ ସମେତ ୯ ଜଣଙ୍କୁ କେରଳ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ଏକ ଗେ ଡେଟିଂ ଆପ ମାଧ୍ୟମରେ ନାବାଳକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ।

କାସାରଗୋଡ ପୋଲିସ ମୁଖ୍ୟ ବିଜୟ ଭାରତ ରେଡ୍ଡୀ କହିଛନ୍ତି, ଦଶମ ଶ୍ରେଣୀର ଏହି ବାଳକ ଦୁଇ ବର୍ଷ ପୂର୍ବେ ଆପ ଡାଉନଲୋଡ କରିଥିଲେ ଓ କାସାରଗୋଡ, କନ୍ନୁର, କୋଝିକୋଡ ଓ ଏର୍ଣ୍ଣାକୁଲମରେ ୧୪ ଜଣଙ୍କ ଦ୍ୱାରା ଦୁଇ ବର୍ଷ ଧରି ବଳାତ୍କାରର ଶିକାର ହୋଇଥିଲେ। ନାବାଳକଙ୍କ ମାଆଙ୍କ ସନ୍ଦେହ ପରେ ଏହି ଘଟଣା ପ୍ରକାଶ ପାଇଥିଲା।

ପୋଲିସ ୧୪ ଜଣଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ୧୪ଟି ମାମଲା ରୁଜୁ କରିଛି। କାସାରଗୋଡରେ ହୋଇଥିବା ୮ଟି ମାମଲା ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ ହୋଇଛି, ବାକି ୬ଟି ମାମଲା କୋଝିକୋଡ ଓ କନ୍ନୁରକୁ ହସ୍ତାନ୍ତର ହୋଇଛି। ପ୍ରାୟ ସମସ୍ତ ଅଭିଯୁକ୍ତଙ୍କ ବୟସ ୨୫ରୁ ୫୧ ବର୍ଷ ମଧ୍ୟରେ ଅଟେ।