ରାତିଅଧରେ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଗିରଫ କରିବାକୁ ଯାଇ ପୋଲିସ ହଟହଟା: ଘେରିଲେ ଗ୍ରାମବାସୀ

ପାଟଣା,୨୭।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ପାଟଣା ବ୍ଲକ ଯମୁନାପଶି ଗ୍ରାମରେବୁଧବାର ଭୋର ୩ଟାରେ ୬ଜଣ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରିବାବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା। ଗିରଫ ନେତାଙ୍କୁ ଛାଡ଼ିବା ଦାବିରେ ଗ୍ରାମର ଶତାଧିକ ଲୋକ ପୋଲିସ ଗାଡି ସହ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ । ପରିସ୍ଥିତି ଅଣାୟତ ହେବା ପରେ ପରେ ପୋଲିସ ଫୋର୍ସ ସହାୟତାରେ ମୃଦୁ ଲାଠି ଚାଳନା ରିଥିଲା। ପୋଲିସର ଲାଠି ଚାଳନାରେ ବହୁ ଲୋକ ଆହତ ହୋଇଛନ୍ତି। ତୁରୁମୁଙ୍ଗା ଥାନା ଯମୁନାପଶି ଗ୍ରାମର ବେଣୁଧର ସର୍ଦାର, ତାଙ୍କ ଭାଇ ଭୁବୁନା ନନ୍ଦଙ୍କ ସମେତ ୪ ଜଣକୁ ପୋଲିସ ଗିରଫ କରି ଥାନାକୁ ନେଇଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଓ ଖଣ୍ଡଯୁଦ୍ଧ ସୃଷ୍ଟି ହୋଇଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ଗ୍ରାମର ଶତାଧିକ ପୁରୁଷ ମହିଳା ପୋଲିସ ଗାଡି ଆଗରେ ଶୋଇବା ସହ ବସି ରହି ପୋଲିସକୁ ଅଟକ ରଖିଥିଲେ।

ସୂଚନାଯୋଗ୍ୟ ଯେ, ପାଟଣା ବ୍ଲକ ଚେମେଣା ଓ ଯମୁନାପଶି ପଞ୍ଚାୟତ ଅଧିନରେ ଜିନ୍ଦଲ ପୋସ୍କୋ ମିଳିତ ଭାବରେ ମେଗା ଷ୍ଟିଲପ୍ଲାଣ୍ଟ କରିବାକୁ ଯାଉଥିବାବେଳେ ବେଣୁଧର ସର୍ଦାର ଜିନ୍ଦଲ ପୋସ୍କୋ ବିରୋଧୀ ମଞ୍ଚ ର ସମ୍ପାଦକ ଅଛନ୍ତି । ଆଗାମୀ ଦିନରେ ଗ୍ରାମ ସଭା ହେବାକୁ ଥିବାରୁ ତାଙ୍କୁ ଗିରଫ କରି ଆନ୍ଦୋଳନକୁ ପ୍ରଶମିତ କରିବାକୁ ପୋଲିସ ପ୍ରଶାସନର ଏଭଳି ହୀନଚକ୍ରାନ୍ତ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ପୋଲିସ ବେଣୁଧର ସର୍ଦାରଙ୍କ ସହ ୫ ଜଣ ଙ୍କ ନାମରେ ଡକାୟତି ପାକ୍ରମକଣ ମାମଲା ଥିବାରୁ ପୋଲିସ ଅଟକ ରଖିଛି ବୋଲି ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ କହିଛନ୍ତି।

ପୋଲିସ ମାଡ଼ରେ ଗ୍ରାମର୧୦ ରୁ ଉଦ୍ଧର୍‌ବ ମହିଳା ପୁରୁଷ ଆହତ ହୋଇ ଥିବା ଜଣାପଡ଼ିଥିବା ବେଳେ ପୋଲିସ କର୍ମଚାରୀ ମଧ୍ୟ ଲୋକଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। କିଛିଦିନ ତଳେ ଚେମେଣା ଗ୍ରାମର ପ୍ରତାପ ଦାସଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଛଡାଇ ନେଇଥିବା ନେଇ ବେଣୁଧର ସର୍ଦାରଙ୍କ ନାମରେ ଅଭିଯୋଗ ହୋଇଥିଲା। ଚମ୍ପୁଆ ଏସଡିପିଓଙ୍କ ସହ ପାଟଣା ତହସିଲଦାର ଅଶିନୀ କୁମାର ନାୟକ, ତୁରୂମଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଓ ଫୋର୍ସ ଏହି ଚଢାଉରେ ସାମିଲ ହୋଇଥିଲେ।

ଘଟଣାକୁ ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ଉପଦେଷ୍ଟା ତଥା AIKKMS ର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ଓ ମଞ୍ଚର ସଭାପତି ଘନଶ୍ୟାମ ମହାନ୍ତ ତୀବ୍ର ନିନ୍ଦା କରିଛନ୍ତି। ଏଥିସହିତ ଅବିଳମ୍ବେ ଜିନ୍ଦଲ-ପୋସ୍କୋର ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର ଓ ଅନ୍ୟ ୫ ଜଣଙ୍କୁ ନିସର୍ତ୍ତରେ ତୁରନ୍ତ ଖଲାସ କରିବା ପାଇଁ ଦାବି କରିଛନ୍ତି।

Dharitri – Odisha’s No.1 Odia Daily