ବଲାଙ୍ଗୀର, ୧୪।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସ ସ୍ଥାନୀୟ ଭାଗିରଥି ଛକରେ ମଙ୍ଗଳବାର ସନ୍ଧ୍ୟାରେ ଯାନବାହାନ ଯାଞ୍ଚ କରିଥିଲା। ବଲାଙ୍ଗୀର ଏସ୍ପି ଅଭିଳାଷ ଜିଙ୍କ ଉପସ୍ଥିତିରେ ଟାଉନ ଥାନା ପୋଲିସ ଟିମ ଗାଡିଚାଳକଙ୍କ ଆଲକୋହଲ ବ୍ରେଥ ଟେଷ୍ଟ ବା ମଦ ପିଇ ଗାଡିଚାଳନା ବିଷୟରେ ଯାଞ୍ଚ କରିଥିଲେ। ଭାଗିରଥି ଛକ ଦେଇ ଯାଉଥିବା ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଡ୍ରାଇଭରଙ୍କ ଆଲକୋହଲ ବ୍ରେଥ ଟେଷ୍ଟ କରିଥିଲେ। ପୋଲିସ ବ୍ରେଥ ଏଲାଇଜର ଡିଭାଇସ’ରେ ଚାଳକଙ୍କ ପରୀକ୍ଷା କରାଯାଇଛି। ଯେଉଁମାନେ ମଦ ପିଇ ଗାଡିଚାଳନା କରୁଥିଲେ। ପୋଲିସ ସେମାନଙ୍କ ଗାଡିକୁ ଜବତ କରିଛି। ଏହାସହିତ ପୋଲିସ ଟିମ ମୋଡିଫାଏଡ ସାଇଲେନ୍ସସ ଥିବା ବାଇକ୍କୁ ମଧ୍ୟ ଜବତ କରିଥିଲା। ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଏହି ବାଇକ ବିଭିନ୍ନ ସମୟରେ ଲୋକଙ୍କୁ ଅଡୁଆରେ ପକାଉଛି। ଏହାବାଦ୍ ନାବାଳକ ଗାଡି ଚାଳକଙ୍କୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ବେଳେ ପୋଲିସ ୯ଟି ଗାଡି ଜବତ କରିଥିବା ଟାଉନ ଥାନା ଆଇଆଇସି ଅବନୀ କୁମାର ସାହୁ କହିଛନ୍ତି। ଯାଞ୍ଚ ସମୟରେ ସଦର ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ, ଟାଉନ ଥାନା ୧୦ ଜଣ ପୋଲିସ ଅଫିସରଙ୍କ ସମେତ ୩ ସେକ୍ସନ ପୋଲିସ କର୍ମଚାରୀ ମୁତୟନ ଥିଲେ । ରାସ୍ତାରେ ସୁରକ୍ଷିତ ଯାତ୍ରା ଏବଂ ବ୍ୟବସ୍ଥିତ ଟ୍ରାଫିକ ବ୍ୟବସ୍ଥା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଛି। ଲୋକେ ନିୟମ ମାନି ସୁରକ୍ଷିତ ଯାତ୍ରା କରିବା ସହ ଦୁର୍ଘଟଣାମୁକ୍ତ ପରିବେଶ ସୃଷ୍ଟି କରନ୍ତୁ ବୋଲି ଏସପି ଅଭିଳାଷ ଜି କହିଛନ୍ତି। ବଲାଙ୍ଗୀର ସହର ଟ୍ରାଫିକ ଛକରେ ଯାନବାହାନ ଯାଞ୍ଚ ବେଳେ ପରିବହନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ l