ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଖଣି ବିଭାଗ କାର୍ଯ୍ୟାଳୟ କର୍ମଚାରୀବୃନ୍ଦ ଓ ଦିଗପହଣ୍ଡି ପୋଲିସ ଟିମ ମିଳିତ ଭାବେ ଚଢାଉ କରି ରବିବାର ବିଳମ୍ବିତ ରାତିରେ ୩ଟି ମୋରମ ବୋଝେଇ ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ମେଶିନ ଜବତ କରିଛନ୍ତି। ଦୀର୍ଘଦିନ ଧରି ବେଆଇନ ଭାବେ ସାନଖେମୁଣ୍ଡି ବ୍ଳକ ଗୌତମୀ ଗ୍ରାମ ନିକଟସ୍ଥ ଜଙ୍ଗଲ ଜମିରୁ ଜେସିବି ମେଶିନ ଲଗାଇ ବ୍ୟାପକ ଭାବେ ମୋରମ ଖୋଳି ଟ୍ରାକ୍ଟର ଯୋଗେ ଦିଗପହଣ୍ଡି, ବ୍ରହ୍ମପୁର,ସାନଖେମୁଣ୍ଡି ସମେତ ଜିଲାର ବିଭିନ୍ନ ଗ୍ରାମକୁ କିଛି ବ୍ୟକ୍ତି ଚୋରାଚାଲାଣ କରିଆସୁଥିଲେ। ଖଣି ବିଭାଗ କର୍ମଚାରୀମାନେ ବିଶେଷସୂତ୍ରରୁ ଖବରପାଇ ଦିଗପହଣ୍ଡି ପୋଲିସ ସହାୟତାରେ ଥାନା ଅଧିନ ସିଦ୍ଧେଶ୍ୱର – ଗଣିଆନାଳ ଛକ ନିକଟରୁ ୩ଟି ମୋରମ ବୋଝେଇ ଟ୍ରାକ୍ଟର ସହ ଜେସିବି ମେଶିନ ଜବତ କରିଥିବା ବେଳେ ପୋଲିସ ଗାଡ଼ି ଦେଖି ୩ ଟ୍ରାକ୍ଟର ଚାଳକ ଓ ଜେସିବି ଚାଳକ ରାସ୍ତା ଉପରେ ଗାଡ଼ି ରଖି ସେଠାରୁ ଚମ୍ପଟ ମାରିଥିବା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।