ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି ଜିଲା ପୋଲିସ। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ସମୁଦାୟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରାଜେଶ ସେଠୀ ଓରଫ ରାଜା, ରଜନୀରାଣୀ ସେଠୀ ଓରଫ ରୋଜୀ, ଦେବାଶିଷ ପାଢ଼ୀ, ଯଶୋବନ୍ତ ନାୟକ ଓରଫ ଜେଶ, ହରେଶ ରତ୍ନାଲୁ।
ସୂଚନାନୁଯାୟୀ, ରାୟଗଡ଼ା ପୂର୍ତ୍ତ ବିଭାଗରେ କାର୍ଯ୍ୟ କରୁଥିବା ବସନ୍ତ କୁମାର ମିଶ୍ରଙ୍କୁ ଗତ ମାର୍ଚ୍ଚ ୧୨ ତାରିଖ ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ମାରପିଟ୍ କରିଥିଲେ। ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ବାସଭବନରେ ମିଶ୍ର ଏକୁଟିଆ ଥିବା ବେଳେ ରାତି ପ୍ରାୟ ୧୧ଟାରେ ଜଣେ ମହିଳା ଓ ୪ ଜଣ ଯୁବକ ବନ୍ଧୁକ ଏବଂ ଛୁରୀ ଧରି ଘରେ ପଶିଥିଲେ।
ଦୁର୍ବୁତ୍ତମାନେ ପ୍ରାୟ ୬ ଘଣ୍ଟା ଧରି (ରାତି ୧୧ରୁ ସକାଳ ୫ଟା) ବସନ୍ତଙ୍କୁ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ମାରପିଟ କରିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ। ସେମାନେ ଘରୁ ସୁନା ଚେନ, ମୁଦି, ବାଇକ ଏବଂ ବିଭିନ୍ନ ଘରୋଇ ଆସବାପତ୍ର ଲୁଟି ନେଇଥିଲେ। ଏଥିସହିତ ବନ୍ଧୁକ ମୁନରେ ବ୍ୟାଙ୍କ ଟଙ୍କା ଉଠାଣ ଫର୍ମରେ ସ୍ବାକ୍ଷର କରାଇବା ସହ ’ଫୋନ ପେ’ ମାଧ୍ୟମରେ ୧୧ ହଜାର ଟଙ୍କା ଟ୍ରାନ୍ସଫର କରି ନେଇଥିବା ଅଭିଯୋଗ ହୋଇଥିଲା।
ଲୁଟ ପରେ ଅଭିଯୁକ୍ତମାନେ ବାହାର ପଟୁ କବାଟ ବନ୍ଦ କରି ଫେରାର ହୋଇଯାଇଥିଲେ। ପରଦିନ ସକାଳୁ ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବସନ୍ତଙ୍କ ଏତଲା ଭିତ୍ତିରେ ପୋଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ କାବୁ କରିଛି। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଗୋଟିଏ ଗ୍ୟାସ ସିଲିଣ୍ଡର, ଗୋଟିଏ ଗ୍ରାଇଣ୍ଡର, ଦୁଇଟି ସାଉଣ୍ଡ ସ୍ପିକର, ରାଇସ କୁକର, ଇଲେକ୍ଟ୍ରିକ କେଟଲି ଓ ୱାଟର ବୋତଲ ଆଦି ସାମଗ୍ରୀ ଜବତ କରିଛି। ପୋଲିସ ଏହି ଘଟଣାରେ ଏକ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେବା ସହ ଗିରଫ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily