ଗଞ୍ଜାମ,୨୩।୨(ବିଦ୍ୟାଧର ସାହୁ ): ଆସନ୍ତା ମାର୍ଚ୍ଚ ୧ରୁ ଗଞ୍ଜାମ ସହରରେ ଐତିହାସିକ ଦୋଳ ଯାତ୍ରା ଆରମ୍ଭ ହେବ । ତିନି ଦିନ ଧରି ଅନୁଷ୍ଠିତ ଉକ୍ତ ଯାତ୍ରାରେ ଲକ୍ଷାଧିକ ଲୋକ ସମାଗମ ହେବେ। ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ସୋମବାର ସନ୍ଧ୍ୟାରେ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଆଇଆଇସି ସୁମିତ୍ରା ପାତ୍ର, ଭାରପ୍ରାପ୍ତ ଥାନା ଆଇଆଇସି ଶୁଭଲକ୍ଷ୍ମୀ କଁଅର, ଏଏସଆଇ ଅନିରୁଦ୍ଧ ସ୍ବାଇଁ, ଏଏସଆଇ ସୁଦୀପ୍ତ ସାହୁ, ମହିଳା ସେକେଣ୍ଡ ଅଫିସର ସୁପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ୧୨ଟି ୱାର୍ଡ କୁ ନେଇ ଗଠିତ ବିଭିନ୍ନ ସାହିର ସମସ୍ତ ଠାକୁର ଯାତ୍ରାକୁ ଯିବାବେଳେ ଶୃଙ୍ଖଳିତ ଭାବେ ଶୋଭାଯାତ୍ରା କରିବାକୁ ଆଲୋଚନା ହୋଇଥିଲା। ଏଥିପାଇଁ ସମସ୍ତ ସାହିର ତିନି ଜଣ ଯୁବକଙ୍କୁ ନେଇ ଶାନ୍ତି କମିଟି ଗଠନ ହୋଇଥିଲା। ସାହି ଯାତ୍ରାବେଳେ ସମସ୍ତ ସାହି ଗୁଡିକରେ ପୋଲିସ ମୁତୟନ ହେବ । ଯାତ୍ରା ତିନି ଦିନ ମଦ ଦୋକାନ ଗୁଡିକ ବନ୍ଦ ରହିବ। ପୋଲିସ ପକ୍ଷରୁ ଡିଜେକୁ ନିଷେଧ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କମ୍ ସାଉଣ୍ଡରେ ଡିଜେ ବୁଲିବ ଏବଂ ସାଉଣ୍ଡ ପରିମିସନ ବାଧ୍ୟତାମୂଳକ ବୋଲି ଆଇଆଇସି ପାତ୍ର ସୂଚନା ଦେଇଥିଲେ । କାନ୍ତରି ଦଳାଇ, ବିଧାୟକ ପ୍ରତିନିଧି ରାନୁ ବୈଠାରୁ, ଗୌରୀ ଶଙ୍କର ବାରିକି, ସୁଦାମ ଚରଣ ଜେନା, ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ, ନୀଳାଞ୍ଚଳ ବାରିକି,ଭଗବାନ ପ୍ରଧାନ, ଅଜୟ କୁମାର ବାରିକି,ଅସ୍ମିତ ପଣ୍ଡା, ଶିବ ରାମ ଜେନା, ବାପୁନି ପଣ୍ଡା, ମନୋଜ ପ୍ରଧାନ,ଧରଣୀ ସାହୁଙ୍କ ସମେତ ସମସ୍ତ ସାହି କମିଟି ମେମ୍ବର ଉପସ୍ଥିତ ଥିଲେ । ଚଳିତ ବର୍ଷ ଗ୍ରହଣ ଲାଗୁ ଥିବା ଯୋଗୁ ଠାକୁର ସାମାନ୍ୟ ବିଳମୱ ହେବ ବୋଲି ଆଲୋଚନା ହୋଇଥିଲା। ଗ୍ରହଣ ଛାଡିବା ପରେ ହିଁ ଠାକୁର ନିଜ ନିଜ ସାହି ଦେଉଳକୁ ଫେରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।