ଅଜଣା ମୃତଦେହ ସଂସ୍କାରବେଳେ ମାଡ଼ିବସିଲା ପୋଲିସ: ବଢୁଛି ଚର୍ଚ୍ଚା

ଅମରପାଲି,୨୩/୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବଡ଼ମାଳ ଗ୍ରାମରେ ସୋମବାର ଏକ ଅଜଣା ମୃତଦେହ ସଂସ୍କାର ବେଳେ ଗ୍ରାମବାସୀ ବିରୋଧ କରିବା ସହ ପ୍ରତିବାଦ କରିଛନ୍ତି। ଏନେଇ ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ମୃତଦେହକୁ ସେହି ଗ୍ରାମର ମୃତକଙ୍କ ସମ୍ପର୍କୀୟ ଆଣି ଅନ୍ତିମ ସଂସ୍କାର କରୁଥିବା ଜଣାପଡ଼ିଛି। ଘଟଣାଟି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ,ପୂର୍ବାହ୍ନରେ କେତେଜଣ ବ୍ୟକ୍ତି ଜଣେ ବୃଦ୍ଧଙ୍କ ମୃତଦେହ ଆଣି ଗ୍ରାମର ବଘାରମୁଣ୍ଡା ପୋଖରୀ ନିକଟରେ ପୋତି ଦେଉଥିଲେ। ସେହି ସମୟରେ ଗ୍ରାମର କେତେଜଣ ବ୍ୟକ୍ତି ଏହାଦେଖି ମୃତଦେହ ତାଙ୍କ ଗ୍ରାମର ନୁହେଁ ବୋଲି କହି ଅନ୍ତିମ ସଂସ୍କାର କରିବାକୁ ମନା କରିଥିଲେ। ଏନେଇ ସେମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ହରିହର ଯୋର ଠେଙ୍ଗୋ ଡ୍ୟାମ୍‌ ଫାଣ୍ଡି ଅଧିକାରୀ ବିଭୁନ୍ଦ୍ର ବରାଳ ପୋଲିସ ଟିମ୍‌ ସହ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ ା
ମୃତ ବ୍ୟକ୍ତି ଜଣକ ଅନୁଗୁଳ ଜିଲା ଟିକରପଡ଼ାର ବିଶ୍ୱନାଥ ମୁଖି (୭୫)ବୋଲି ଜଣାପଡିଛି। ବିଶ୍ୱନାଥ କିଛି ବର୍ଷ ହେଲା ନିଜ ପରିବାର ସହିତ ବୀରମହାରାଜପୁରରେ ରହି କୁଲି ମଜୁରୀ କାମ କରୁଥିଲେ। ତାଙ୍କର ପୁଅ ଜଗ ମୁଖୀ ବୀରମହାରାଜପୁର ଥାନା ବହଳପଦର ପଞ୍ଚାୟତର ବଡ଼ମାଳ ଗ୍ରାମରେ ଗୋବିନ୍ଦ ଭିଷରଙ୍କ ଝିଅଙ୍କୁ ବିବାହ କରିଥିଲେ। ବିଶ୍ୱନାଥ ରୋଗାକ୍ରାନ୍ତ ଥିବାରୁ ତାଙ୍କୁ ଗତ ରବିବାର ବୀରମହାରାଜପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ସେ ଡ଼ାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ମାତ୍ର ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ା ବୀରମହାରାଜପୁରରେ ମୃତକଙ୍କ ପୁଅଙ୍କ ଆଉ କେହି ସମ୍ପର୍କୀୟ ନ ଥିବାରୁ ଅନ୍ତିମ ସଂସ୍କାର କରିବାରେ ସମସ୍ୟା ହୋଇଥିଲା। ତେଣୁ ମୃତଦେହକୁ ମୃତକଙ୍କ ପୁଅ ଜଗ ତାଙ୍କ ଶ୍ୱଶୁର ଘର ସମ୍ପର୍କୀୟଙ୍କ ସହିତ ବଡ଼ମାଳ ଆଣି ପୋତି ଦେଉଥିଲେ। ପୋଲିସ ମୃତକଙ୍କ ସମ୍ପର୍କୀୟଙ୍କୁ ପଚରା ଉଚୁରା କରୁଛି। ଏନେଇ ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ବରାଳଙ୍କୁ ପଚାରିବାରେ ମୃତଦେହକୁ ଅନୁଗୁଳ ଜିଲା ଟିକରପଡ଼ା ନେବାକୁ ତାଙ୍କ ପୁଅ ଅସମର୍ଥ ଥିବାରୁ ଶଶୁର ଘର ବଡ଼ମାଳକୁ ଆଣିଥିବା କହିବା ସହିତ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି।