ପାରାଦୀପ, ୧୩।୮(ଶରତ ରାଉତ):ଜଗତ୍ସିଂହପୁର ଜିଲା ପାରାଦୀପ ଲକ୍ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ କରି ୫ ଲକ୍ଷ ଦାବି କରିବା ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେ ହେଲେ କେନ୍ଦ୍ରାପଡା ଥାନା ଅନ୍ତର୍ଗତ ଗରାପୁର ଗ୍ରାମର କାର୍ତ୍ତିକ ଜେନା। ଥାନାରେ ମାମଲା ପରଠୁ ସେ ଫେରାର ଥିଲେ। ଏହାପରେ ପୋଲିସ ତାଙ୍କୁ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ଠାବ କରି ମଙ୍ଗଳବାର ଗିରଫ କରିଛି। ପୋଲିସ ସୂଚନା ଅନୁସାରେ, ସାମାଜିକ ଗଣମାଧ୍ୟମ ଜରିଆରେ ୧୭ ବର୍ଷୀୟା ନାବାଳିକାଙ୍କ ସହ କାର୍ତ୍ତିକଙ୍କ ବନ୍ଧୁତା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟେ ଏକାଠି ମିଳାମିଶା କରିବା ସହ ବିଭିନ୍ନ ଫଟୋ ଭିଡିଓ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ କାର୍ତ୍ତିକଙ୍କୁ ସମ୍ପୃକ୍ତା ନାବାଳିକା ଅଣଦେଖା କରିଥିଲେ। ଏନେଇ କାର୍ତ୍ତିକ ସାମାଜିକ ଗଣମାଧ୍ୟମରେ ଏକ ନକଲି ଆଇଡି ଖୋଲି ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ କରିଥିଲେ। ଉକ୍ତ ଭିଡିଓ ଭାଇରାଲ କରିବା ପୂର୍ବରୁ ନାବାଳିକା ଓ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାପାଇଁ ଦାବି କରିଥିଲେ। ଅର୍ଥ ମିଳିବାରେ ବିଳମ୍ବ ହେବାରୁ କାର୍ତ୍ତିକ ଫଟୋ ଓ ଭିଡିଓ ଭାଇରାଲ କରିଦେଇଥିଲେ। ଏନେଇ ନାବାଳିକାଙ୍କ ମା’ ଅଗଷ୍ଟ ୮ରେ ଲକ୍ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା (ନଂ. ୨୪୮/୨୫) ରୁଜୁ କରି ତଦନ୍ତ ଜାରି ରଖିଥିଲା।