Categories: ଗଞ୍ଜାମ

ନୋ-ପାର୍କିଂରୁ ଗାଡ଼ି ଉଠାଇଲା ପୋଲିସ

ବ୍ରହ୍ମପୁର ଅଫିସ,୫।୬: ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଞ୍ଚଳର ନୋ-ପାର୍କିଂରେ ରଖାଯାଉଥିବା ଗାଡ଼ି ହଟାଇବା ଅଭିଯାନ ଟ୍ରାଫିକ୍‌ ପୋଲିସ ଆରମ୍ଭ କରିଛି। ଏଣୁ ଟ୍ରାଫିକ୍‌ ପୋଲିସ ନୋ-ପାର୍କିଂରେ ଥିବା ଗାଡ଼ି ଉଠାଇବା ସହ ଖିଲାପକାରୀ ମାନଙ୍କଠାରୁ ଜରିମାନା ଆଦାୟ କରିଛି। ନିର୍ଦ୍ଧାରିତ ପାର୍କିଂସ୍ଥଳରେ ଗାଡି ନ ରଖି ରାସ୍ତାକଡ଼ରେ ଯେ କୌଣସି ସ୍ଥାନରେ ପାର୍କିଂ କରିଥିବା ୨୦୮ ଗାଡି ଚାଳକଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରିଛି। ଦୁଇଦିନରେ ଟ୍ରାଫିକ ପୋଲିସ ୧ ଲକ୍ଷ ୪ ହଜାର ଟଙ୍କା ଆଦାୟ କରିଥିବା ସୂଚନା ମିଳିଛି। ଗତ ଗୁରୁବାରଠାରୁ ଟ୍ରାଫିକ୍‌ ପୋଲିସ ବ୍ରହ୍ମପୁର ସହରରେ ଘୂରି ବୁଲି ନୋ-ପାର୍କିଂସ୍ଥଳରୁ ଗାଡି ଉଠାଇବା ସହ ଚାଳକଙ୍କଠାରୁ ଜରିମାନା ଆଦାୟ କରୁଛି। ଗୁରୁବାର ୧୦୩ ଗାଡି ନୋ-ପାର୍କିଂସ୍ଥଳରୁ ଉଠାଇଥିବା ବେଳେ ଶୁକ୍ରବାର ୧୦୫ ଗାଡ଼ି ଉଠାଇଥିଲା ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଟ୍ରାଫିକ ଥାନାଧିକାରୀ ସୁନୀଲ ବେହେରା କହିଛନ୍ତି, ଲୋକମାନେ ପାର୍କିଂସ୍ଥଳରେ ଗାଡିନରଖି ମନଇଚ୍ଛା ଏଣେତେଣେ ପାର୍କିଂ କରୁଥିବାରୁ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଫଳରେ ଲୋକମାନଙ୍କର ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ପୋଲିସ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି। ବିଶେଷକରି ବାଇକ୍‌ ଚାଳକମାନେ ମନଇଚ୍ଛା ପାର୍କିଂ ନ କରି ନିର୍ଦ୍ଧାରିତ ସ୍ଥଳରେ ସେମାନଙ୍କ ଗାଡି ପାର୍କିଂ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

Share