ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୨ ଜଣ ଜୁୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ସୂଚନା ପାଇ ବହୁ ସଂଖ୍ୟକ ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗିରଫ ଜୁଆଡି ଦ୍ବୟଙ୍କଠାରୁ ପୋଲିସ ୯ ହଜାର ଟଙ୍କା,ତାସମୁଠା ଏବଂ ଜରିପାଲ ଜବତ କରିଛନ୍ତି।
ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ନିକଟରେ ଜୁଆଖେଳ ଚାଲିଥିବା ନେଇ ସୂଚନା ମିଳିବାପରେ ଥାନା ପିଏସ୍ଆଇ ମହାପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢାଉ କରିଥିଲେ। ଏନେଇ ଏତଲା ହେବାପରେ ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ.୧୫୩/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଅଭିଯୁକ୍ତଦ୍ୱୟଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସ୍ଏସ୍)ର ଧାରା-୩୫(୩) ଅନୁଯାୟୀ ନୋଟିସ ଦିଆଯିବା ପରେ ଛାଡି ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଝୁନୁ ମାଝୀ କହିଛନ୍ତି ।
Dharitri – Odisha’s No.1 Odia Daily