ଛତ୍ରପୁର,୨୧ା୧୦(ଦିଲୀପ ସାମଲ): ଛତ୍ରପୁର ରିଜର୍ଭ ପୋଲିସ ପଡିଆଠାରେ ଗଞ୍ଜାମ ପୋଲିସ ଜିଲା ତରଫରୁ ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଶହୀଦ ସ୍ମୃତି ସ୍ମାରକୀରେ ପୁଷ୍ପଗୁଚ୍ଛ ପ୍ରଦାନ କରିବା ପରେ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା। ପୋଲିସ ବାହିନୀ ନିଜ ପରିବାର କଥା ପଛରେ ପକାଇ ବିପଦ ସମୟରେ ଲୋକଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି। ଏହି କ୍ରମରେ ଜୀବନ ଉତ୍ସର୍ଗ କରିଥିବା ପୋଲିସ କର୍ମଚାରୀଙ୍କ ନାମ ଏସପି ପାଠ କରିବା ସହିତ ସେମାନଙ୍କ ବୀରତ୍ୱକୁ ପ୍ରଶଂସା କରିଥିଲେ । ସେହିପରି ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାଶ, ସୀମା ସ୍ବାଇଁ ଓ ଚିନ୍ମୟ କୁମାର ନାୟକ, ଛତ୍ରପୁର ଏସ୍ଡିପିଓ ଚନ୍ଦନ କୁମାର ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୈାରଚାନ୍ଦ ତ୍ରିପାଠୀ, ସଂପାଦକ ସୁବାସ ଚନ୍ଦ୍ର ସେଠୀଙ୍କ ସମେତ ବହୁ ପୋଲିସ ଅଧିକାରୀ ମାନେ ଯୋଗଦେଇ ଶହୀଦ ମାନଙ୍କ ସ୍ମୃତିଚାରଣ କରିଥିଲେ । ରିଜର୍ଭ ଇନିସପେକ୍ଟର ଅମୁଲ୍ୟ କୁମାର ନାୟକ ପ୍ୟାରେଡକୁ ପରିଚାଳନା କରିଥିବା ବେଳେ ସରଜେଣ୍ଟ ବିକାଶ ସେନାପତି ସହଯୋଗ କରିଥିଲେ।