ପୋଲିସ ମାଓବାଦୀ  ମଧ୍ୟରେ ଗୁଳିବିନିମୟ: ଜଣେ ନିହତ

ରାଉରକେଲା,୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ସଂଲଗ୍ନ ଝାଡ଼ଖଣ୍ଡର ଗୋଇଲକେରା ଥାନା ଅଞ୍ଚଳର ଆରାହାସା ପଞ୍ଚାୟତର ରେଲା ଗାଁରେ ଅବସ୍ଥିତ ବୁର୍ଜୁୱା ପାହାଡ଼ ନିକଟରେ ରବିବାର ସକାଳେ ପୋଲିସ ଏବଂ ସିପିଆଇ ମାଓବାଦୀ  ମଧ୍ୟରେ ଗୁଳିବିନିମୟ  ଜାରି ରହିଥିଛି। ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ  ମୃତ୍ୟୁ ଘଟିଛି।  ଗୋଟିଏ SLR ଜବତ ହୋଇଥିବା ଜଣାପଡ଼ିଛି। ନିହତ ମାଓବାଦୀ ହେଉଛନ୍ତି ଜୋନାଲ କମାଣ୍ଡର ଅମିତ ହାଂସଦା ଓରଫ ଉପତାନ। ତାଙ୍କ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।
ଚାଇବସା ପୋଲିସ କ୍ୟାପଟେନ ଗୁପ୍ତ ସୂଚନା ପାଇଥିଲେ ଯେ, ମାଓବାଦୀ ସଂଗଠନର ସକ୍ରିୟ ସଦସ୍ୟମାନେ ଗୋଇଲକେରା ଥାନା ରେଲାପାରଳ ଅଞ୍ଚଳରେ ଉପସ୍ଥିତ ଅଛନ୍ତି। ପରେ ପୋଲିସ ଏବଂ ସିଆରପିଏଫ ଯବାନ ସେହି ଅଞ୍ଚଳରେ ଏକ ଶର୍ଚ୍ଚ ଅପରେଶନ କରିଥିଲେ। ପୋଲିସ ସମଗ୍ର ପାହାଡ଼ୀଅଞ୍ଚଳକୁ ଘେରି ମାଓବାଦୀଙ୍କ ପଳାୟନ ପଥକୁ ଅବରୋଧ କରିବାକୁ ଚେଷ୍ଟା କରୁଛନ୍ତି। ଚାଇବସା ଏସ୍‌ପି ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ଅତିରିକ୍ତ ପୋଲିସ ଫୋର୍ସକୁ ମଧ୍ୟ ଅଞ୍ଚଳକୁ ପଠାଯାଇଛି। ଏପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ। ଜିଲା ଏସ୍‌ପି ରାକେଶ ରଞ୍ଜନ ଏନକାଉଣ୍ଟର ଖବରକୁ ନିଶ୍ଚିତ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏନକାଉଣ୍ଟର ଜାରି ରହିଛି।