ପୋଲିସ-ମାଓବାଦୀ ମୁହାଁମୁହିଁ: ଟଳିପଡିଲେ ମାଓବାଦୀ ନେତା ପାପା ରାଓ

ମାଲକାନଗିରି,୧୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି।

ବିଜାପୁର ଜିଲା ନ୍ୟାଶନାଲ ପାର୍କ ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବା ଖବର ପାଇ ସିଆରପିଏଫ୍‌, କୋବ୍ରା ବାହିନୀ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ବହୁ ସମୟ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସୁରକ୍ଷା କର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଥିଲେ। ୨ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଥିଲା। ୨ ମାଓବାଦୀଙ୍କ ମଧ୍ୟରୁ ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ବନ୍ଧୁକ, ଏକେ-୪୭ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଉକ୍ତ ଅଞ୍ଚଳରେ ପୋଲିସର ସର୍ଚ୍ଚ ଅପରେଶନ ଜାରି ରହିଛି। ଏହା ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ବିଜାପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।