ଧର୍ମଶାଳା,୪।୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ଅଞ୍ଚଳରେ ମାତିଛନ୍ତି ଚୋର। ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟି ନେଉଛନ୍ତି ସବୁକିଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ନିକଟସ୍ଥ ଜାମୁବଣିଆ ଗ୍ରାମରେ ଦୁର୍ବୃତ୍ତମାନେ କବାଟ ତାଲା ଓ ଝରକା ଗ୍ରୀଲ କାଟି ସିରିଜ ଚୋରି କରିଛନ୍ତି ।
ମିଳିଥିବା ଖବର ଅନୁସାରେ, ଜାମୁବଣିଆ ଗ୍ରାମର ଏକ ଦୁଇ ମହଲା କୋଠା ଘରେ କେହି ନ ଥିବାର ସୁଯୋଗ ନ଼େଇ ଦୁର୍ବୃତ୍ତମାନେ ଗେଟ ତାଲା ଭାଙ୍ଗି ଘରକୁ ଯାଇ କବାଟ ତାଲା ଭାଙ୍ଗି ଘରେ ପଶି ଘରୁ ପାଖାପାଖି ୧୮ଭରି ସୁନା ଅଳଙ୍କାର, ୨୦ ଭରିରୁ ଊର୍ଦ୍ଧ୍ୱ ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟ କରିନେଇଥିବା ଅଭିଯୋଗ ହୋଇଛି। ଉକ୍ତ ଘରେ ଗୋଟିଏ ପରିବାର ସହ ଭଡ଼ାଟିଆ ରହୁଥିଲେ। ଏଭଳି ସିରିଜ ଚୋରି ଧର୍ମଶାଳା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପାଖ ପଡୋଶୀଙ୍କଠାରୁ ଘରର ତାଲା ଭାଙ୍ଗିଥିବା ଖବର ପାଇ ଧର୍ମଶାଳା ଥାନାରେ ଉଭୟ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସାଇନ୍ଟିିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି। ଖବର ଲେଖାଯିବା ସୁଦ୍ଧା ଦୁର୍ବୃତ୍ତଙ୍କ କୌଣସି ଟେର ପାଇପାରି ନାହିଁ ପୋଲିସ।