ବୌଦ୍ଧ,୩୦।୧୦( ଅଜିତ କୁମାର ବାରିକ): ବୌଦ୍ଧ ଥାନାରେ ଗତ ବୁଧବାର ଦିନ ଏକ ଅଜବ ଘଟଣା ଘଟିଛି । ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରି ରାତି ସାରା ପୋଲିସ ଜୀବତ ମହିଳାଙ୍କୁ ମୃତ ଭାବି ଜଗିରହିଥିବା ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏପଟେ ସକାଳୁ ମହିଳା ଜଣଙ୍କ ଉଠିବା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମିଳିଥିବା ସୂଚନାମୁତାବକ ବୁଧବାର ବୌଦ୍ଧ ଥାନା ଗିରାସିଙ୍ଗା ଗ୍ରାମର ଶ୍ରୀକାନ୍ତ ନାୟକଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ନିଖୋଜ ଥିବା ନେଇ ସନ୍ଧ୍ୟାରେ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ବୌଦ୍ଧ ଥାନାର ପୋଲିସ କର୍ମଚାରୀ ଗିରାସିଙ୍ଗା ଗ୍ରାମକୁ ଯାଇ ମହିଳାଙ୍କୁ ଖୋଜାଖୋଜି କରିଥିଲେ । ଲକ୍ଷ୍ମୀପ୍ରିୟା ଘର ନିକଟରେ ପଡିଥିଲେ। ପୋଲିସ ଲକ୍ଷ୍ମୀପ୍ରିୟାକୁ ଦେଖିବା ସହ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରି ରାତି ସାରା ମୃତ ଭାବି ଜଗି ରହିଥିଲା। ଏହା ସହ ପୋଲିସ ପକ୍ଷରୁ ଗ୍ରାମର ବିଭିନ୍ନ ସ୍ଥାନରେ ନୋଟିସ ଲଗାଯାଇଥିଲା। ନୋଟିସରେ ପୋଲିସ ଉଲ୍ଲେଖ କରିଥିଲା ଆପଣଙ୍କ ଅଞ୍ଚଳରେ ଘଟିଥିବା ଲକ୍ଷ୍ମୀପ୍ରିୟା ନାଏକଙ୍କ ମର୍ଡର କେସର ତଦନ୍ତରେ କୌଣସି ତଥ୍ୟ ଦେବାକୁ ଚାହୁଁଥିଲେ ପୋଲିସକୁ ୭୦୦୮୭୦୪୫୯୮ ଏହି ନମ୍ବରରେ ଯୋଗାଯୋଗ କରୁନ୍ତୁ। ତଥ୍ୟ ପ୍ରଦାନକାରୀଙ୍କ ନାମ ଓ ଠିକଣା ଗୋପନୀୟ ରଖାଯିବା ସହ ଉପଯୁକ୍ତ ଭାବେ ପୁରସ୍କୃତ କରାଯିବ । ଗୁରୁବାର ସକାଳୁ ପୋଲିସର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିବା ପରେ ଲକ୍ଷ୍ମୀପ୍ରିୟାର ଗୋଡ ହାତ ହଲିଥିଲା । ଏହା ପରେ ପୋଲିସ ଜୀବତ ଥିବା ନେଇ ସଙ୍ଗେ ସଙ୍ଗେ ବୌଦ୍ଧ ମୁଖ୍ୟ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ଲକ୍ଷ୍ମୀପ୍ରିୟା ସୁସ୍ଥ ଅନୁଭବ କରିବା ପରେ ପୋଲିସ ଥାନାକୁ ନେଇ ପଚାର ଉଚାର କରିଥିଲା । ଏପେଟ ବୌଦ୍ଧ ଥାନାରେ ପୋଲିସ ୪୧୯/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ନଳିନୀକାନ୍ତ ଦାସଙ୍କ ପଚାରିବାରୁ ମହିଳା ଜଣଙ୍କ ଯେପରି ଭାବରେ ଘଟଣାସ୍ଥଳରେ ପଡି ରହିଥିଲା ଦେଖିବା ପରେ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା । ତେଣୁ ପୋଲିସ କର୍ମଚାରୀ ରାତିସାରା ଜଗି ରହିଥିଲେ ଓ ସକାଳୁ ସାଇଣ୍ଟିଫିକ ଟିମ ଦେଖିବା ପରେ ମହିଳା ଜଣଙ୍କ ଜୀବିତ ରହିଥିବା ଜଣାପଡିଥିଲା । ଏହା ସହ ମହିଳାଙ୍କୁ କିଏ ପଛରୁ ଆଘାତ ଦେଇଥିବା ଯୋଗୁ ଅଚେତ ହୋଇପଡିଥିବା ପ୍ରକାଶ କରିଥିଲା ପୋଲିସ।
\