ଛେଳି ଧରି ଚମ୍ପଟ ମାରୁଥିଲା କାର୍‌: ଗାଡିକୁ ପିଛା କରି ଧାଇଁଲେ ଲୋକେ, ତା’ପରେ…

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କାଡଶପାଟା ଏବଂ ଡଲାବାଡି ଅଞ୍ଚଳରୁ ଛେଳି ଧରି ପଳାଉଥିବା କାର୍‌କୁ ପୋଲିସ ଜବତ କରିଛି । ଦୁର୍ବୃତ୍ତମାନେ ଜଙ୍ଗଲରେ କାର୍‌ ଛାଡି ଚାଲିଯାଇଥିବା ବେଳେ କାର୍‌କୁ ଜବତ କରି ଥାନାକୁ ନିଆଯାଇଛି । ପ୍ରକାଶ ଯେ, ଏକ ଧଳା ରଙ୍ଗର କାର୍‌ରେ ମଙ୍ଗଳବାର ପୂର୍ବାହ୍ନରେ ୫ଟି ଛେଳି ଧରି ଦ୍ରୁତ ଗତିରେ ପଳାଇଥିଲେ । ଗ୍ରାମବାସୀ ଉକ୍ତ ଗାଡିକୁ ପିଛା କରିବା ସହ ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନା ଏବଂ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେଙ୍କୁ ଅବଗତ କରାଇଥିଲେ। ଏସଡିପିଓ ଲୋକଙ୍କ ଠାରୁ ସୂଚନା ପାଇ କେ.ନୂଆଗାଁ ଥାନା, ସାରଙ୍ଗ ଏବଂ ରାଇକିଆ ଥାନାକୁ ଖବର ଦେଇଥିଲେ। ତେବେ କାର୍‌ଟିକୁ ପ୍ରଥମେ ସିମନବାଡିରେ ଅଞ୍ଚଳବାସୀ ଅଟକାଇବାକୁ ପ୍ରୟାସ କରିଥିଲେ । ପରବର୍ତ୍ତୀ ସମୟରେ କାର୍‌ଟି ଦ୍ରୁତଗତିରେ ଯାଇ କ. ନୂଆଗାଁ ଥାନା ଲେତିଙ୍ଗିଆ ହୋଇ ଧରମପୁରକୁ ବାହାରିଥିଲା । ତେବେ ଧରମପୁରବାସୀ ଟ୍ରାକ୍ଟର ଆଡ଼ ପକାଇ କାର କୁ ଅଟକାଇବାକୁ ଚେଷ୍ଟା କରିଥିଲେ ତେବେ ଚାଳକ ସେଠାରୁ ଦ୍ରୁତ ଗତିରେ ବୁଲାଇ ଫେରି ଆସି ଏକ ଘଞ୍ଚ ଜଙ୍ଗଲ ରାସ୍ତାରେ ଗାଡି ଚାଳକଙ୍କ ସମେତ କାର୍‌ରେ ଥିବା ସମସ୍ତ ୩ ଜଣ ଦୁର୍ବୃତ୍ତ କାର୍‌ ଛାଡି ଚାଲିଯାଇଥିଲେ । ପରେ ସାରଙ୍ଗ ଓ ଦାରିଙ୍ଗବାଡି ପୋଲିସ କାର୍‌କୁ ଜବତ କରି ଥାନାକୁ ନେଇଥିଲେ। ଆଜି ଛେଳି ମାଲିକ ତଥା ଜିମେନ୍ଦ୍ର ପ୍ରଧାନ, ରାଧାକାନ୍ତ ପ୍ରଧାନ ଏବଂ ସନାତନ ପ୍ରଧାନ ପ୍ରମୁଖ ଥାନରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଘଟଣା ସମ୍ପର୍କରେ ଲେଖିବା ସହ ୨ ଟି ସ୍ଥାନରୁ ୫ ଟି ଛେଳି ଚୋରି କରିନେଇଥିବା ବେଳେ ୩ ଟି ଛେଳି ବାଟରେ ଛାଡି ଦେଇଥିବା ବେଳେ ଆଉ ୨ ଟି ଛେଳି ଏବେ ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ପତ୍ରରେ ଉଲ୍ହେଖ କରିଛନ୍ତି । ତେବେ ପୋଲିସ ଯେଉଁ କାର୍‌କୁ ଜବତ କରିଛି ଉକ୍ତ କାର୍‌ଟି ପ୍ରାଥମିକ ତଦନ୍ତରୁ ଯେଉଁ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲାଗିଛି ତାହା ନକଲି ବୋଲି ଜଣାପଡିଛି । ଦୁର୍ବୃତ୍ତମାନଙ୍କୁ ଧରିଲା ପରେ ସମସ୍ତ ଘଟଣାର ପରଦା ହଟିବ ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି।

 

Dharitri – The Largest & Most Trusted Odia Daily