ଡ୍ୟୁଟିରେ ଶୋଇବାରୁ ବୋନସ୍‌ ହରାଇଲା ପୋଲିସ ଡଗ୍‌

ବେଜିଂ: ସାଧାରଣତଃ କୁକୁରମାନଙ୍କୁ ସବୁଠାରୁ ବୁଦ୍ଧିମାନ୍‌ ଓ ବିଶ୍ବସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଇଥାଏ। ତେବେ ଚାଇନାର ଏକ ପୋଲିସ ଡଗ୍‌ ‘ଫୁଜଇ’ ଡ୍ୟୁଟିରେ ଥିବା ସମୟରେ ଶୋଇପଡ଼ି ଓ ନିଜ ଖାଦ୍ୟପାତ୍ରରେ ପରିସ୍ରା କରି ନିଜ ବାର୍ଷିକ ବୋନସ୍‌କୁ ହରାଇଛି। ୨୦୨୩ ଅଗଷ୍ଟ ୨୮ରେ ଜନ୍ମ ହୋଇଥିବା ଫୁଜଇକୁ ଶାଙ୍ଗଲେ କାଉଣ୍ଟି ଜନ ସୁରକ୍ଷା ବ୍ୟୁରୋର ଜଣେ ପ୍ରଶିକ୍ଷକ ଜାଓ କ୍ୱିଙ୍ଗ୍‌ସୁଇ ଚାଇନାର ୱେଇଫାଙ୍ଗ୍‌ସ୍ଥିତ ପୋଲିସ ଡଗ୍‌ ଟ୍ରେନିଂ ବେସ୍‌କୁ ଦାନ କରିଥିଲେ। ସେଠାରେ ତାଲିମ ପରେ ୨୦୨୪ ଜାନୁଆରୀରେ ଫୁଜଇ ଚାଇନା ପୋଲିସର ସ୍ପେଶାଲ୍‌ ଫୋର୍ସରେ ବିସ୍ଫୋରକ-ଚିହ୍ନଟ ଅପରେଟିଭ୍‌ (ରିଜର୍ଭ) ଭାବେ ନିଯୁକ୍ତ ହୋଇଥିଲା। ୨୦୨୪ ମାର୍ଚ୍ଚ ସୁଦ୍ଧା ସେ ନିଜର ସୁନ୍ଦର ହସ ଓ ଚିତ୍ତାକର୍ଷକ ଶରୀର ହେତୁ ଇଣ୍ଟରନେଟ୍‌ର ସେନ୍ସେସନ୍‌ ପାଲଟିଯାଇଥିଲା। ପରେ ଫୁଜଇ ପୋଲିସ ଡଗ୍‌ମାନଙ୍କ ପାଇଁ ଆବଶ୍ୟକ କଠୋର ମାନଦଣ୍ଡକୁ ପୂରଣ କରି ଅକ୍ଟୋବର ୨୦୨୪ରେ ପୂର୍ଣ୍ଣ ରୂପରେ ପୋଲିସ ଡଗ୍‌ର ମାନ୍ୟତା ପାଇଥିଲା। ୨୦୨୪ରେ ଫୁଜଇ ପୋଲିସ ଅଧିକାରୀ ଭାବେ ଅନେକ ସୁରକ୍ଷା କାର୍ଯ୍ୟକୁ ସଫଳତାର ସହ ସମାପ୍ତ କରି ବହୁ ଖ୍ୟାତି ଅର୍ଜନ କରିଥିଲା। ଫଳରେ ବର୍ଷର ବାର୍ଷିକ ବୋନସ୍‌ ଭାବେ ଫୁଜଇକୁ ନାଲି ଫୁଲ, ଖେଳନା ଏବଂ ଅନେକ ଉପହାର ସହ ଖାଇବାକୁ ସ୍ନାକ୍ସ ଦିଆଯାଇଥିଲା। କିନ୍ତୁ ନିକଟରେ ଫୁଜଇ ଡ୍ୟୁଟିରେ ଥିବା ସମୟରେ ଏକଦା ଶୋଇ ପଡ଼ିଥିଲା ଓ ନିଜ ଖାଦ୍ୟପାତ୍ରରେ ପରିସ୍ରା କରିଥିଲା। ତେଣୁ ଫୁଜଇକୁ ବୋନସ୍‌ ଭାବେ ମିଳିଥିବା ସ୍ନାକ୍ସକୁ ଅଧିକାରୀମାନେ ଜବତ କରିଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପୋଲିସ ଅଧିକାରୀ ଫୁଜଇ ସହ ସାକ୍ଷାତ୍‌ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ଭିଡିଓରେ ଅଧିକାରୀ ଜଣକ ଫୁଜଇକୁ କହୁଛନ୍ତି, ”ତୁମେ ଚଳିତ ବର୍ଷ ବହୁତ ଭଲ ପ୍ରଦର୍ଶନ କରିଛ। ପୋଲିସ ଡଗ୍‌ମାନଙ୍କ ପାଇଁ ଆବଶ୍ୟକ ଥିବା ଲେଭଲ ୪ ଟ୍ରେନିଂକୁ ମଧ୍ୟ ସଫଳତାର ସହ ପୂରା କରିଛ। କିନ୍ତୁ ଡ୍ୟୁଟିରେ ଥିବା ସମୟରେ ତୁମେ ଶୋଇଯାଇଥିଲ ଓ ନିଜ ଖାଦ୍ୟପାତ୍ରରେ ମଧ୍ୟ ତୁମେ ପରିସ୍ରା କରିଥିଲ। ତେଣୁ ବାର୍ଷିକ ବୋନସ୍‌ ଆକାରରେ ତୁମକୁ ମିଳିଥିବା ସ୍ନାକ୍ସକୁ ଆମେ ଛଡ଼ାଇନେବାକୁ ବାଧ୍ୟ ହୋଇଛୁ।“