ରାୟଗଡ଼ା, ୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଏପ୍ରିଲ ୨୮ ତାରିଖରେ ହୋଇଥିବା ଏକ ବାଇକ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଠାବ କରିଛି ଟାଉନ ଥାନା ପୋଲିସ । ଏଥିରେ ଜଣଙ୍କୁୁ ଗିରଫ କରିବା ସହିତ ଚୋରି ବାଇକ ମଧ୍ୟ ଜବତ କରାଯାଇଛି । ଗିରଫ ଜଣଙ୍କ ହେଲେ ନ୍ୟୁ କଲୋନୀ ତୃତୀୟ ଲେନର ପି.ସୁରେଶ(୨୫)।
ଘଟଣାରୁ ପ୍ରକାଶ ଯେ, ନ୍ୟୁ କଲୋନୀର ଜଣେ ବ୍ୟକ୍ତି ନିଜ ୟାମାହା ଆର-୧୫ ବାଇକ ନମ୍ବର(ଓଡି୧୮ଜେ୮୬୭୯) ଘର ସମ୍ମୁଖରେ ରଖି ଘର ଭିତରକୁ ଯାଇଥିଲେ। କିଛି ସମୟ ପରେ ବାହାରକୁ ଆସି ଦେଖିବା ବେଳେ ତାଙ୍କ ବାଇକ ସେଠାରେ ନ ଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ବାଇକ ନମିଳିବାରୁ ରାୟଗଡ଼ା ଟାଉନ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ କେସ ନଂ ୧୫୧ରେ ମାମଲା ରୁଜୁ କରି ଏସ୍ଆଇ ମନୋଜ ଜେନା ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଶୁକ୍ରବାର ବିଶ୍ୱସ୍ତ ସୂତ୍ରରୁ ଉକ୍ତ ବାଇକକୁ ଜଣେ ଯୁବକ ଚେକାଗୁଡ଼ା ନିକଟସ୍ଥ ନାଗାବଳୀ ପୋଲ ନିକଟରେ ଚଲାଉଥିବା ନେଇ ସୂଚନା ପାଇଥିଲେ । ସୂଚନା ପାଇବା ପରେ ସେଠାରେ ପହଞ୍ଚି ବାଇକ ଜବତ କରିବା ସହିତ ସୁରେଶଙ୍କୁ ଗିରଫ କରିଥିଲେ । ଗିରଫ ସୁରେଶଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କେକେବିକେ କହଁର ସୂଚନା ଦେଇଛନ୍ତି ।