ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ ପୋଲିସ ଅଟକ ରଖିବା ପରେ ନୋଟିସ ଦେଇ ଛାଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାରର ଦକ୍ଷିଣ ଡାଇକ ସାର୍ବଜନୀନ ରାସ୍ତା ଅବରୋଧ କରି ଓ ଟ୍ରାଫିକ ସମସ୍ୟା ସୃଷ୍ଟି କରି ଏକାଧିକ କାର୍ ଷ୍ଟଣ୍ଟ କରୁଥିବା ଭିଡିଓକୁ କାରରେ ଥିବା ଯୁବକମାନେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏଥିରେ ଯୁବକ ମାନେ କାର ଝରକାରୁ ବାହାରି ଷ୍ଟଣ୍ଟ କରୁଥୁଲେ। କିଏ ଚଳନ୍ତା କରର ଛାତରେ ବସି ସିଗାରେଟ ଟାଣୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଭିଡିଓ ଆଧାରରେ ବୁର୍ଲା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଦୁଇଟି କାର୍ ଯଥାକ୍ରମେ (ଓଡି-୧୫-ଏନ-୦୪୦୪ ଏବଂ ୟୁପି-୭୦-ଏଚୱାଇ-୨୬୯୪)କୁ ଜବତ କରି କାର ଚାଳକ ଦ୍ବୟଙ୍କ ସହ କାରରେ ଥିବା ସମସ୍ତ ୭ ଯୁବକଙ୍କୁ ପ୍ରଥମେ ଅଟକ ରଖିଥିଲା। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଅନ୍ୟ କାର୍ ସହ କେତେକ ଯୁବକ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ବୁର୍ଲା ଥାନାରେ କେସ ନମ୍ବର ୫୬/୧୦୨୬ରେ ଏମଭି ଆଇନରେ ଏକ ମାମଲା ରୁଜୁ କରିଛି। ପରେ ଉକ୍ତ ଯୁବକମାନଙ୍କୁ ନୋଟିସ ଜାରି କରି ଶନିବାର ଛାଡ଼ିଥିବା ଜଣାପଡ଼ିଛି। ଅପରପକ୍ଷରେ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି l