ବଳାତ୍କାର ଅଭିଯୋଗରେ Mumbai Indiansର ପୂର୍ବତନ ଖେଳାଳିଙ୍କୁ ବାନ୍ଧିଲା ପୋଲିସ: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୬।୫: ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଶିବାଲିକ ଶର୍ମାଙ୍କୁ ରାଜସ୍ଥାନର ଯୋଧପୁରର କୁଡି ଭଗତସୁନି ହାଉସିଂ ବୋର୍ଡ ପୋଲିସ ଗିରଫ କରିଛି। ଏହି ପୂର୍ବତନ IPL କ୍ରିକେଟରଙ୍କ ଉପରେ ତାଙ୍କର ଜଣେ ବନ୍ଧୁ ବଳାତ୍କାରର ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିବା ଯୁବତୀ ମଧ୍ୟ ତାଙ୍କ ସହିତ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି।

କ୍ରିକେଟର ଶିବାଲିକ ଶର୍ମା ଏବଂ ଅଭିଯୋଗ ଆଣିଥିବା ଯୁବତୀ ଇନଷ୍ଟାଗ୍ରାମ ମାଧ୍ୟମରେ ବନ୍ଧୁ ହୋଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହି ସମୟ ମଧ୍ୟରେ, ଶିବାଲିକ ତାଙ୍କୁ ଭେଟିବା ପାଇଁ ଅନେକ ଥର ଯୋଧପୁର ମଧ୍ୟ ଯାଇଥିଲେ। କ୍ରିକେଟର ଜଣକ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଦୁହଁିଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା। ଯୁବତୀ ଅଭିଯୋଗ କରିଛନ୍ତି ଯେ, ଶିବାଲିକ ତାଙ୍କୁ ବିବାହ ପାଇଁ ବାରମ୍ବାର ପ୍ରତାରିତ କରୁଥିଲେ ଏବଂ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ପ୍ରାୟ ଗୋଟିଏ ବର୍ଷ ଏକାଠି ରହିବା ପରେ, ଶିବାଲିକଙ୍କ ପରିବାର ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ।

ପରେ ଯୁବତୀ କୁଡି ଥାନାରେ ଶିବାଲିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହି ଗମ୍ଭୀର ଅଭିଯୋଗ ପରେ, ଭଡୋଦରାର ଅଟଲାଦରା ଥାନା ଅଞ୍ଚଳରୁ ଶିବାଲିକଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଯୋଧପୁର କୋର୍ଟରେ ହାଜର କରାଯାଇଥିଲା, ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା।

ଗତ ବର୍ଷ (୨୦୨୪) ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଶିବାଲିକ ଶର୍ମାଙ୍କୁ ସାମିଲ କରାଯାଇଥିଲା। ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣାଯାଇଥିଲା, ଯଦିଓ ସେ ଗୋଟିଏ ବି ମ୍ୟାଚ ଖେଳିପାରି ନ ଥିଲେ। IPL 2025ରେ ସେ କୌଣସି ଦଳର ଅଂଶ ନାହାନ୍ତି।

ଘରୋଇ ଟର୍ନାମେଣ୍ଟରେ ବରୋଦା କ୍ରିକେଟ ଦଳ ପାଇଁ ଖେଳିଥିବା ଶିବାଲିକ ୧୮ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧୦୮୭ ରନ କରିଥିଲେ। ଏଠାରେ ସେ ୩ ଶତକ ଏବଂ ୫ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ଲିଷ୍ଟ ଏରେ ଖେଳାଯାଇଥିବା ୧୩ଟି ମ୍ୟାଚ୍‌ରେ ୩୨୨ ରନ କରିଥିଲେ। ସେ ୧୯ଟି ଟି-୨୦ ମ୍ୟାଚ ମଧ୍ୟ ଖେଳି ୩୪୯ ରନ କରିଥିଲେ। ସେ ଚଳିତ ବର୍ଷ ଜାନୁଆରୀରେ ରଣଜୀ ଟ୍ରଫିରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଜମ୍ମୁ ଏବଂ କଶ୍ମୀର ବିପକ୍ଷ ଏହି ମ୍ୟାଚ୍‌ରେ ସେ ୬୪ ଏବଂ ୧୮ ରନ କରିଥିଲେ।

Share