ଭଞ୍ଜନଗର,୧୦/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ନୂଆଁପଲ୍ଲୀରୁ ମଙ୍ଗଳବାର ଜଣେ ୧୦ ବର୍ଷର ନାବାଳିକାଙ୍କୁ ରାଇକିଆ ଥାନା ଅନ୍ତର୍ଗତ ସୁବଲାବାଡି ଗ୍ରାମର ସୁଶାନ୍ତ ସେଠୀ ନିଜ ସ୍କୁଟିରେ ଅପହରଣ କରି ନେଉଥିଲେ। ପରେ ଗାଲେରିଠାରେ ନାବାଳିକାଜଣଙ୍କ କାନ୍ଦୁଥିବା ଦେଖି ସେଠାକାର ଅଞ୍ଚଳବାସୀ ଅଭିଯୁକ୍ତକୁ ଗୋଡ଼ାଇ ଅଟକାଇଥିଲେ। ଏହାପରେ ଲୋକେ ତାରସିଂ ପୋଲିସକୁ ଡାକି ଅଭିଯୁକ୍ତକୁ ହସ୍ତାନ୍ତର କରିଥିଲେ। ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତ ଜଣକ ବେଆଇନ କାର୍ଯ୍ୟରେ ଜଡ଼ିତ ଥିବା ଜଣାପଡିଥିଲା। ଏଣୁ ସେ ନାବାଳିକାଙ୍କୁ ଯୌନ ନିର୍ଯାତନା କିମ୍ବା ଅନ୍ୟତ୍ର ଚାଲାଣ ପାଇଁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ପୋଲିସ ନାବାଳିକାଙ୍କ ମାଆଙ୍କ ଏତଲାକୁ ଭିତ୍ତିକରି ଅଭିଯୁକ୍ତ ସୁଶାନ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ଘଟଣାରୁ ପ୍ରକାଶ ଯେ ନୂଆଁପଲ୍ଲୀର ୩ ଭାଇ ଭଉଣୀ ଗାଁଦାଣ୍ଡରେ ମଙ୍ଗଳବାର ଖେଳୁଥିଲେ। ସେମାନଙ୍କ ମା’ ଜମିକୁ କାମ କରିବାକୁ ଚାଲି ଯାଇଥିଲେ। ବାପା ବାଙ୍ଗାଲୋରରେ କାମ କରୁଛନ୍ତି। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଏକ ସ୍କୁଟି ଗାଡ଼ିରେ ଉକ୍ତ ଗ୍ରାମରେ ପହଞ୍ଚି ଖେଳୁଥିବା ୩ ଭାଇ ଭଉଣୀ ମଧ୍ୟରୁ ବଡ ଭଉଣୀକୁ ଯୋଜନାବଦ୍ଧ ଭାବେ ଅପହରଣ କରିନେଇଥିଲେ। ନାବାଳିକାଙ୍କ ମାଆ ଜମିରୁ ଫେରି ବଡ ଝିଅ ଘରେ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସାନ ଝିଅ ଓ ପୁଅକୁ ପଚାରିବାରୁ କିଏ ଜଣେ ଆସି ତାକୁ ଗାଲରୀ ରାସ୍ତାରେ ନେଇଯାଇଥିବା କହିଥିଲେ। ଏହାପରେ ନାବାଳିକାଙ୍କ ମା’ଙ୍କ ଚିନ୍ତା ବଢ଼ିଯାଇଥିଲା। ଏହାପରେ ସେ ଗାଲେରି ଆଡ଼େ ଖୋଜିବାକୁ ଆସିଥିବା ସମୟରେ ଲୋକେ ତାଙ୍କ ଝିଅକୁ ଉଦ୍ଧାର କରିଥିବା ଜାଣିବାକୁ ପାଇଥିଲେ। ଏହାପରେ ପୋଲିସ ଉପସ୍ଥିତିରେ ମା ଝିଅଙ୍କୁ ଫେରିପାଇଥିଲେ । ଶିଶୁ ଅପହରଣ ଏକ ଚିନ୍ତାଜନକ ବିଷୟ। ଯାହାକୁ ନେଇ ଭଞ୍ଜନଗର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଲିସ ଏନେଇ ୩୩୮/୨୫ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।