କଫ ସିରଫ ଚୋରାଚାଲାଣ ହେଉଥିବାବେଳେ ମାଡିବସିଲା ପୋଲିସ, ୪ ଅଭିଯୁକ୍ତଙ୍କୁ ଧରି…

ସୋହେଲା, ୧୫।୯ (ଅଶ୍ୱିନୀ କୁମାର ପାତ୍ର/ପ୍ରେମାନନ୍ଦ ଖମାରୀ ): ବରଗଡ଼ ଜିଲା ସୋହେଲା ପୋଲିସ ବେଆଇନଭାବରେ କଫ ସିରଫ ଚୋରା ଚାଲାଣ ହେଉଥିବାବେଳେ ୧୩୨୫ବୋତଲ କଫ ସିରଫ ଜବତ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ସୋହେଲା ଥାନାରେ ପଦ୍ମପୁର ଏସଡିପିଓ ପାଣ୍ଡବ ସବର ଏନେଇ ସୂଚନା ଦେଇ କହିଥିଲେ ଯେ, ଆଜି ମଧ୍ୟାହ୍ନବେଳେ ସୋହେଲା ପୋଲିସ ଚିଚିଣ୍ଡା ଛକରେ ବିଭିନ୍ନ ଯାନବାହନ ଚେକିଂ ଓ ପାଟୋଲିଂ କରୁଥିବାବେଳେ ଓଡି ୧୭ ଭି/୬୧୧୧ ନମ୍ବର ଥିବା ଏକ ମାରୁତି ଏର୍ଟିଗା ଗାଡିରୁ ୧୩୨୫ ବୋତଲ କଫ ସିରଫ ଜବତ କରଥିଲା । ଏହାର ଆନୁମାନିକ ମୂଲ୍ୟ ୬ଲକ୍ଷରୁ ଅଧିକ ଟଙ୍କା ହେବ । ଏଥିରେ ସଂପୃକ୍ତ ପଦ୍ମପୁର ଥାନା କପଶିଳା ଗାଁର ଲକ୍ଷ୍ମଣ କୁମ୍ଭାର ଓରଫ ବାବା(୩୭), ଜମଲା ଗ୍ରାମର ଗଣେଶ ମେହେର(୩୪), ବୁଡେନ ଥାନାର ଟେଣ୍ଡାପଦର ଗ୍ରାମର ଗୌରୀ ନାରାୟଣ ତ୍ରିପାଠୀ(୩୮) ଓ ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ଦୟାନିଧୂ ପରୁଆ(୩୨)କୁ ପୋଲିସ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏନେଇ ଥାନାରେ କେସ୍‌ ନମ୍ବର ୨୭୬/୨୫ରେ ବିଏନଏସର ଧାରା
୧୧୧ (୨)(ବି) ଏବଂ ଏନଡିପିଏସର ଧାରା ୨୧(ବି)/୨୫ରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୋଲିସ ଉକ୍ତ ଗାଡି ସହିତ ୨ଗୋଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି । ସୂଚନା ଯୋଗ୍ୟ ଯେ, ରୁଜଣ କୁମ୍ଭାର ଓରଫ ବାବା ନାମରେ ବୁଡେନ ଥାନାରେ ଗୋଟିଏ ମାମଲା ଓ ପଦ୍ମପୁର ଥାନାରେ ୨ଟି ମାମଲା ଏବଂ ଗୌରୀ ନାରାୟଣ ତ୍ରିପାଠୀଙ୍କ ନାଁରେ ବୁଡେନ ଥାନାରେ ଗୋଟିଏ ମାମଲା ପୂର୍ବରୁ ଭିନ୍ନ ମାମଲାକୁ ନେଇ ମାମଲା ରୁଜୁ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ସୋହେଲା ଥାନା ଆଇଆଇସି ହରିଶଙ୍କର ଭୋଇ, ଅଭିଯୋଗକାରୀ ସବ ଇନ୍ସପେକ୍ଟର ରବିନାରାୟଣ ପଧାନ ଉପସ୍ଥିତ ଥିଲେ ।