ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ ହେବାକୁ ପଡିଛି। ଘଟଣା ଅନୁଯାୟୀ, ଉକ୍ତ ଫାଣ୍ଡି ଅଧୀନ ଚିତ୍ରଡା ବଜାର ନିକଟରେ ଥିବା ଏଆରଟେଲ ଟାୱାରରେ ଆଜି ଗୁରୁବାର ସକାଳ ୭ଟା ସମୟରେ ସୋନୁ ମହାନ୍ତ ନାମକ ଜଣେ ଯୁବକ ଚଢି ଯାଇଥିଲେ। ଟାୱାରଟି ୧୫୦ ଫୁଟର ଲମ୍ବ ଥିବାବେଳେ ପୁରା ଶୀର୍ଷକୁ ଚଢି ଯାଇଥିଲେ ଉକ୍ତ ଯୁବକ ଜଣକ। ଖବର ପାଇ ଚିତ୍ରଡା ଦମକଳ ବାହିନୀ କର୍ମଚାରୀ ଏବଂ ଚିତ୍ରଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି କାରଣବଶତଃ ସଫଳ ହୋଇ ନ ଥିଲେ। ଖବର ଲେଖା ସୁଦ୍ଧା ଯୁବକ ଜଣକ ଟାୱାର ଉପରେ ଥିବା ଦେଖିବାକୁ ମିଳିଛି ଏବଂ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି।

 

Dharitri – Odisha’s No.1 Odia Daily

 

Share