Belarusian sprinter Krystsina Tsimanouskaya talks with police officers at Haneda international airport in Tokyo, Japan August 1, 2021. REUTERS/Issei Kato
ଟୋକିଓ, ୩ା୮ (ଏପି):ପୋଲାଣ୍ଡ ସୋମବାର ବେଲାରୁଷର ଜଣେ ଅଲିମ୍ପିକ ସ୍ପ୍ରିଣ୍ଟର କ୍ରିଷ୍ଟିନା ସିମାନୋସକାୟାଙ୍କୁ ଭିଜା ମଞ୍ଜୁର କରିଛି। କ୍ରିଷ୍ଟିନା କହିଛନ୍ତି, ଟିମ୍ ଅଫିସିଆଲ ତାଙ୍କୁ ବାଧ୍ୟତାମୂଳକ ତାଙ୍କ ଦେଶକୁ ପଠାଇଦେବା ଲାଗି ଚେଷ୍ଟା କରିଥିଲୋ ନିଜ ଦେଶ ଫେରିଲେ ତାଙ୍କ ପ୍ରତି ବିପଦ ରହିଛି। ବେଲାରୁଷରେ ଏକଚ୍ଛତ୍ରବାଦ ଶାସନ ଚାଲିଛି। ନିକଟରେ ସରକାର ଜଣେ ଭିନ୍ନମତବାଦୀ ଜର୍ନାଲିଷ୍ଟକୁ ଗିରଫ କରିଛନ୍ତି। ସେ ଏକ ବିମାନକୁ ଅନ୍ୟତ୍ର ନେଇ ପଳାଇବାକୁ ଉଦ୍ୟମ କରୁଥିଲେ ବୋଲି ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏକ ସ୍ବେଚ୍ଛାସେବୀ ସଂଘର ସହାୟତାରେ କ୍ରିଷ୍ଟିନା ଓ୍ବାରସ ଯିବା ଲାଗି ବିମାନ ଟିକେଟ ପାଇଛନ୍ତି। ଟିମ୍ର ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ କ୍ରିଷ୍ଟିନା ଅଫିସିଆଲଙ୍କୁ କଡ଼ା ସମାଲୋଚନା କରିଥିଲେ। ଧାବିକା ଜଣକ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ କହିଥିଲେ, ସେ ୪x୪୦୦ ରିଲେ ଇଭେଣ୍ଟରେ କେବେ ଭାଗ ନେଇ ନ ଥିଲେ ମଧ୍ୟ ତାଙ୍କୁ ଏହି ଦଳରେ ସାମିଲ କରାଯାଇଛି। ତାଙ୍କର ଏହି ବକ୍ତବ୍ୟକୁ ନେଇ ବିବାଦ ଚାଲିଛି। ସରକାରଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେଉଁମାନେ ସରକାରୀ କାର୍ଯ୍ୟର ସମାଲୋଚନା କରୁଛନ୍ତି ଅବା ଦୋଷ ଦୁର୍ବଳତା ପ୍ରକାଶ କରୁଛନ୍ତି କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଧାବିକା ଜଣଙ୍କୁ ଯେତେବେଳେ ବଳପୂର୍ବକ ବିମାନବନ୍ଦରକୁ ନିଆଗଲା ଏବଂ ଇସ୍ତାନବୁଲ ଯିବା ଲାଗି କୁହାଗଲା ସେ ରୋକ୍ଠୋକ୍ ମନା କରିବା ସହ ସ୍ଥାନୀୟ ପୋଲିସର ସହାୟତା ମାଗିଥିଲେ। ସେ ଆହୁରି ମଧ୍ୟ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ।