ବିଷାକ୍ତ ଔଷଧ

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଷାକ୍ତ କଫ୍‌ ସିରପ୍‌ ପିଇ ଗତ କିଛି ଦିନ ହେବ ୧୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଖବର ଏବେ ରାଷ୍ଟ୍ରବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ମଧ୍ୟପ୍ରଦେଶର ଛିନ୍ଦ୍‌ଓ୍ବାଡା ଜିଲାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ୨ ଜଣ ପିଲାଙ୍କ ପ୍ରାଣହାନି ଘଟିଛି। ତାମିଲନାଡୁର ସ୍ରିସାନ୍‌ ଫାର୍ମାସ୍ୟୁଟିକାଲ ପକ୍ଷରୁ ପ୍ରସ୍ତୁତ ‘କୋଲ୍ଡରିଫ୍‌’ କଫ୍‌ ସିରପ୍‌ରେ ଡାଇଥାଇଲିନ୍‌ ଗ୍ଲାଇକୋଲ୍‌ (ଡିଇଜି) ମାତ୍ରା ଅତ୍ୟଧିକ ରହିଥିବାରୁ ତାହା ପିଲାଙ୍କ ପାଇଁ ପ୍ରାଣଘାତୀ ସାଜିଛି। ଯାଞ୍ଚ ବେଳେ ଜଣାପଡ଼ିଛି ଯେ ଏହି ସିରପ୍‌ରେ ୪୮.୬ ପ୍ରତିଶତ ଡିଇଜି ରହିଥିବାରୁ ତାହା ଶିଶୁମାନଙ୍କ ବୃକ୍‌କକୁ ନଷ୍ଟ କରିଦେଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଡ୍‌ଭାଇଜରି ଜାରି କରିବା ପରେ ୬ ରାଜ୍ୟର ୧୯ କଫ୍‌ ସିରପ୍‌ ମାନୁଫାକଚରିଂ ୟୁନିଟ୍‌ ଉପରେ ଯାଞ୍ଚ କରିଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ କୁହାଯାଇଛି। ନମୁନା ପରୀକ୍ଷା ବେଳେ ସେଥିରେ ବିପଜ୍ଜନକ ମାତ୍ରାରେ ଡିଇଜି ଥିବା ଜଣାପଡ଼ିଛି। ସଦ୍ୟ ଘଟଣା ହେଲା ଛିନ୍ଦ୍‌ଓ୍ବାଡାରେ ଜଣେ ଡାକ୍ତରଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି।
କଫ୍‌ ସିରପ୍‌ ଭଳି କୌଣସି ଔଷଧ ରୋଗୀଙ୍କୁ ସୁସ୍ଥ କରିବା ପରିବର୍ତ୍ତେ ପ୍ରାଣଘାତୀ ସାଜିବା ନିଶ୍ଚିତ ଭାବେ ଏକ ଗମ୍ଭୀର ଦିଗକୁ ଦର୍ଶାଉଛି। ଏଥିରେ କଫ୍‌ ସିରପ୍‌ ପ୍ରସ୍ତୁତକାରୀ କମ୍ପାନୀକୁ ଦାୟୀ କରାଯିବା ସହ ଔଷଧର ମାନ ଠିକ୍‌ ଭାବେ ଯାଞ୍ଚ ହେଉ ନ ଥିବା ଅଭିଯୋଗ ହୋଇଛି। ନକଲି ବା ଅପମିଶ୍ରିତ ଔଷଧ ପ୍ରସ୍ତୁତି ଓ ବିତରଣ ବିଷୟ ନୂଆ ନୁହେଁ। ଭାରତୀୟ କଫ୍‌ ସିରପ୍‌ ଏହା ପୂର୍ବରୁ ବିଦେଶ ମାଟିରେ ସନ୍ଦେହ ଘେରକୁ ଆସିଥିଲା। ୨୦୨୨ରେ ଅଫ୍ରିକୀୟ ରାଷ୍ଟ୍ର ଗାମ୍ବିଆରେ ଡିଇଜି ମାତ୍ରା ଅଧିକ ଥିବା ଭାରତୀୟ କଫ୍‌ ସିରପ୍‌କୁ ସେବନ କରି ୭୦ ପିଲାଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ସ୍ପଷ୍ଟ କରିଥିଲା। ତା’ ପରେ ସମ୍ପୃକ୍ତ ରାଷ୍ଟ୍ର ଭାରତୀୟ ଔଷଧ ଉପରେ ନିଷେଧାଜ୍ଞା ଜାରି କରିଥିଲା। କିନ୍ତୁ ଭାରତ ସରକାର ସେହି ଘଟଣା ପରେ ପ୍ରସ୍ତୁତକର୍ତ୍ତାଙ୍କୁ ଯାଞ୍ଚ କରିବା ପରିବର୍ତ୍ତେ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଥିଲେ। ଔଷଧର ଉପଯୁକ୍ତ ଯାଞ୍ଚ ହେଉ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି ଅନେକେ କହିଥାଆନ୍ତି। କିନ୍ତୁ ବାସ୍ତବତା ହେଲା ଏତେ ଫାର୍ମାସ୍ୟୁଟିକାଲ୍‌ ୟୁନିଟ୍‌କୁ ଯାଞ୍ଚ କରିବା ଲାଗି ସରକାରଙ୍କ ପାଖରେ ସେତିକି ଲୋକବଳ ବା ସାଧନ ନାହିଁ। କୁହାଯାଇପାରେ ଯେ, ମାଲିକ ଚାହାନ୍ତି ବେଶି ବିକ୍ରି ହେଲେ ସେ ଅଧିକ ଅର୍ଥ ରୋଜଗାର କରିବେ। ସେ କଦାପି ଚାହାନ୍ତି ନାହିଁ କମ୍ପାନୀ ଭୁଲ୍‌ ବାଟରେ ଯାଇ ନିନ୍ଦିତ ହେଉ। ବରଂ କର୍ମଚାରୀମାନଙ୍କ ଦକ୍ଷତାର ଅଭାବ କିମ୍ବା ଔଷଧ ପାଇଁ ଆବଶ୍ୟକ ଉପାଦାନ କ୍ରୟ ବେଳେ କିଛି ହେରଫେର୍‌ ହେଲେ ତାହା ସମସ୍ୟା ସୃଷ୍ଟି କରିଥାଏ। ଯେଉଁ କମ୍ପାନୀ ସମ୍ପୂର୍ଣ୍ଣ ଔଷଧ ପ୍ରସ୍ତୁତି ବ୍ୟବସ୍ଥାକୁ ଅଟୋମେଶନ କରି ନ ଥାଏ, ତାହା ମଣିଷ ଦ୍ୱାରା ଭାଗମାପ କରି ମିଶା ଯାଇଥାଏ। ସେଥିରେ ବହୁ ପରିମାଣରେ ଗଡ଼ବଡ଼ ହେଲେ ଔଷଧ ବିଷାକ୍ତ ପାଲଟିଯାଇଥାଏ। ହୁଏତ କେହି କହିପାରନ୍ତି ଯେ, ଔଷଧ କମ୍ପାନୀଗୁଡ଼ିକ ସେମାନଙ୍କ ପ୍ରସ୍ତୁତି ପ୍ରଣାଳୀକୁ ପୂରା ଅଟୋମେଶନ କରିଦେଲେ ଏ ସମସ୍ୟା ଉପୁଜନ୍ତା ନାହିଁ। ମନେରଖିବାବୁ ହେବ ଯେ, ଶତପ୍ରତିଶତ ଗୁଣବତ୍ତା ବଜାୟ ରଖିବା ଲାଗି ଛୋଟ କମ୍ପାନୀଗୁଡ଼ିକ ପୁଞ୍ଜି ନିବେଶ କରିପାରି ନ ଥାଆନ୍ତି। ଏଭଳି ସ୍ଥଳେ ସରକାର କଡ଼ା ନିୟମ ଆଣି ତାହାକୁ କାର୍ଯ୍ୟକାରୀ କରିବା ଦରକାର। ବିଷାକ୍ତ ବା ନକଲି ଔଷଧ ସେବନ କରି ମୃତ୍ୟୁମୁଖରେ ପଡ଼ୁଥିବା ରୋଗୀଙ୍କ ପରିବାରକୁ ନ୍ୟାୟ ମିଳିବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଗଲେ କିଛି ପରିମାଣରେ ଚେତା ପଶନ୍ତା। ଏହା ମଧ୍ୟ ଦେଖାଯାଉଛି, ଶସ୍ତାରେ ଔଷଧ ଯୋଗାଇ ଦେବା ଲାଗି କିଛି ଔଷଧ ନିର୍ମାତା ଗୁଣବତ୍ତାକୁ ପ୍ରାଧାନ୍ୟ ଦେଉନାହାନ୍ତି। ତାହା ଦ୍ୱାରା ସମ୍ପୃକ୍ତ କମ୍ପାନୀ ସହ ସମଗ୍ର ବ୍ୟବସ୍ଥା ବିଶ୍ୱସନୀୟତା ହରାଉଛି।
ଔଷଧ ଅପମିଶ୍ରଣ ବିଷୟରେ ଉଲ୍ଲେଖ କଲା ବେଳକୁ ସେହି ବ୍ୟବସାୟର ମୂଳମନ୍ତ୍ର ସାଜୁଥିବା ଡାକ୍ତରଙ୍କ ସମ୍ପର୍କରେ କିଛି କୁହାଯାଇପାରେ। ବିପୁଳ ଅର୍ଥ ବ୍ୟୟ କରି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସର୍ବନିମ୍ନ ୬ରୁ ୭ ବର୍ଷ ପଢ଼ାଇ ଡାକ୍ତର କରାନ୍ତି। ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏହା ଏକ ବିରାଟକାୟ ନଗଦ କାରଖାନା ପାଲଟିଯିବା ସହିତ ସେଠାରୁ ଉତ୍ପାଦନ ହେଉଥିବା ଅଧିକାଂଶ ଡାକ୍ତର କିଭଳି ଅର୍ଥ ଗୋଟାଇବେ ସେଥିରେ ମସଗୁଲ ରହିଥାଆନ୍ତି। ଔଷଧ ନିର୍ମାତାଙ୍କଠାରୁ ମିଳୁଥିବା କମିଶନ ମୋଟା ଅଙ୍କରେ ଆସେ ବୋଲି ପ୍ରେସ୍‌କ୍ରିପ୍‌ଶନରେ ସେହି କମ୍ପାନୀର ଔଷଧ ଲେଖାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହାର ଅର୍ଥ ନୁହେଁ ଭଲ ଡାକ୍ତର ନାହାନ୍ତି। କିନ୍ତୁ ଭଲ ଡାକ୍ତରଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ପ୍ରଭାବିତ ହୋଇ ଔଷଧ ଲେଖୁଥିବା ଡାକ୍ତର ଏବଂ ଅତ୍ୟଧିକ ଲାଭ ଖୋଜୁଥିବା ଔଷଧ ନିର୍ମାତାଙ୍କ ମଧ୍ୟରେ ଅଲିଖିତ ବୁଝାମଣା ଆଜି ଭାରତରେ ସାଧାରଣ ରୋଗୀର ଜୀବନକୁ ବିପଦରେ ପକାଉଛି।