ଜେଲରେ ବୁଶ୍ରା ବିବିଙ୍କୁ ବିଷ ଦିଆଯାଇଥିଲା

ଇସ୍ତାନବୁଲ୍‌,୩ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଫାଷ୍ଟ ଲେଡି ବୁଶ୍ରା ବିବିଙ୍କୁ ଜେଲରେ ବିଷ ଦିଆଯାଇଥିଲା ବୋଲି ସେ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଯଦି ବୁଶ୍ରାଙ୍କର କୌଣସି କ୍ଷତି ଘଟେ, ସେଥିପାଇଁ ସେନା ମୁଖ୍ୟ ଜେନେରାଲ ଅସିମ ମୁନିରଙ୍କୁ ଦାୟୀ କରାଯିବା ଆବଶ୍ୟକ ବୋଲି ଇମ୍ରାନ୍‌ କହିଛନ୍ତି। କାରଣ ଇସ୍‌ଲାମାବାଦର ବାନି ଗାଲା ବାସଭବନ ଏବଂ ରାଓଲପିଣ୍ଡିର ଆଡିଆଲା ଜେଲ୍‌ର ସବୁକିଛିକୁ ଗୋଇନ୍ଦା ସଂସ୍ଥା ନିୟନ୍ତ୍ରଣ କରିଥାନ୍ତି। ପାକିସ୍ତାନ ଆଡିଆଲ ଜେଲ୍‌ରେ ୧୯୦ ନିୟୁତ ପାଉଣ୍ଡ ତୋଷାଖାନା ଦୁର୍ନୀତି ମାମଲାର ଶୁଣାଣି ବେଳେ ତେହରିକ୍‌-ଇ-ଇନ୍‌ସାଫ୍‌ ନେତା ଉପରୋକ୍ତ ଅଭିଯୋଗ ଆଣିଛନ୍ତି। ବିଷର ପାର୍ଶ୍ୱ ପ୍ରତିକ୍ରିୟା ସ୍ବରୂପ ବିଶ୍ରା ବିବିଙ୍କ ଚର୍ମ ଓ ଜିଭରେ ଚିହ୍ନ ରହିଥିବା ଇମ୍ରାନ୍‌ ବିଚାରପତି ନାସିର ଜାଭେଦ ରାଣାଙ୍କୁ ଜଣାଇଛନ୍ତି। ପୂର୍ବରୁ ବିଶ୍ରାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଡାକ୍ତରଙ୍କ ଉପରେ ବିଶ୍ୱାସ ନ ଥିବାରୁ ସୌକତ୍‌ ଖାନୁମ୍‌ ହସ୍ପିଟାଲର ଡ. ଅସିମ୍‌ ପୁନର୍ବାର ମେଡିକାଲ ଯାଞ୍ଚ କରିବାକୁ ଇମ୍ରାନ୍‌ କୋର୍ଟଙ୍କୁ ନିବେଦନ କରିଛନ୍ତି।