Categories: HomeHome Left

କାବ୍ୟ ଚେତନାରେ ଅରଣ୍ୟ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ବିଶ୍ୱାସ ବା ପ୍ରତ୍ୟୟର ପ୍ରାଣକେନ୍ଦ୍ର। ଜଗନ୍ନାଥଙ୍କୁ କେନ୍ଦ୍ରକରି ଏଠି ଗଢ଼ି ଉଠିଛି ନୂତନ ଦର୍ଶନ, ଚିନ୍ତାଧାରା, ସଂସ୍କୃତି ଓ କିମ୍ବଦନ୍ତୀ ଇତ୍ୟାଦି। କେଉଁ ପ୍ରାଚୀନ କାଳରୁ ଜଗନ୍ନାଥ ଚେତନା ଆଧାରରେ ପରିପୁଷ୍ଟ ହୋଇଛି ଉକତ୍ଳର ସାହିତ୍ୟ ଓ ସଂସ୍କୃତି। ବିଶେଷକରି ଓଡ଼ିଆ କାବ୍ୟ ସାହିତ୍ୟ ତା’ର ଆଦିରୂପ ଚର୍ଯ୍ୟାଗୀତଠାରୁ ଆଜି ପର୍ଯ୍ୟନ୍ତ ଜଗନ୍ନାଥ ଚେତନାରେ ପ୍ଳାବିତ ଓ ଅନୁରକ୍ତ। ସେଥିପାଇଁ କୁହାଯାଏ ଜଗନ୍ନାଥ ଓ ଓଡ଼ିଆ ସାହିତ୍ୟ – ସଂସ୍କୃତି ଫୁଲ ଓ ତା’ର ପାଖୁଡ଼ା ଭଳି ଓତପ୍ରୋତ ଭାବେ ଜଡ଼ିତ।
ଉକତ୍ଳୀୟ ସଂସ୍କୃତି ସାହିତ୍ୟରେ ଜଗନ୍ନାଥଙ୍କ ଅଲୌକିକ ମହିମା ଗାନରେ ନିଜକୁ କୃତାର୍ଥ ମନେକରିଛନ୍ତି ଶ୍ରୀଜୟଦେବଙ୍କ ଭଳି ଅନେକ କବି।
ଆଦିକବି ସାରଳା ଦାସ ମା’ ଶାରଳାଙ୍କ ଭକ୍ତ ହୋଇ ସୁଦ୍ଧା ଜଗନ୍ନାଥଙ୍କ ନିକଟରେ ପ୍ରକଟ କରିଛନ୍ତି ନିଜର ଆସ୍ଥା ଓ ଆମତ୍ୀୟତା। ଶ୍ରୀକୃଷ୍ଣଙ୍କୁ ନାୟକ ଭାବରେ ଗ୍ରହଣ କରି ସେ ମହାଭାରତ ଲେଖିଛନ୍ତି ସତ, ହେଲେ ଜଗନ୍ନାଥ (ଶବରୀ ନାରାୟଣ)ଙ୍କୁ ଅବତାରୀ ପୁରୁଷ ଭାବେ ଗ୍ରହଣ କରି ଗାଇଛନ୍ତି ବନ୍ଦନା। ସାରଳା ଦାସଙ୍କ ସମୟକୁ ଜଗନ୍ନାଥଙ୍କ ପ୍ରସିଦ୍ଧି ସାରା ଭାରତକୁ ବ୍ୟାପି ସାରିଥିଲା ଏବଂ ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢ଼ି ଉଠିଥିଲା ଅନେକ କାହାଣୀ ଓ କିମ୍ବଦନ୍ତୀ। ପରବର୍ତ୍ତୀ ସମୟରେ ସେହି କିମ୍ବଦନ୍ତୀ ଓ ଉପାସନା ମହତ୍ତ୍ୱକୁ ଗୀତା, ସଂହିତା ଓ କାବ୍ୟ କବିତାରେ ବର୍ଣ୍ଣନା କଲେ ପଞ୍ଚଦାସେ। ଏମାନେ ଜଗନ୍ନାଥଙ୍କ ଭକ୍ତିରେ ପ୍ରମତ୍ତ ଜଣେ ଜଣେ ପରମ ସାଧକ ଏବଂ ଏମାନଙ୍କ ରଚନାରେ ଛଳ ଛଳ ହୋଇ ବହିଯାଇଛି ଜଗନ୍ନାଥ ଚେତନାର ଅପୂର୍ବ ଭାବାବେଗ। ରୀତିଯୁଗରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଭକ୍ତକବି ବନମାଳୀ ଓ ଯବନ କବି ସାଲବେଗ ପ୍ରମୁଖ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖି ଯାଇଛନ୍ତି ରାଶିରାଶି ସ୍ମୃତି, ଭଜନ, ଜଣାଣ ଓ କାବ୍ୟ କବିତା। ଭକ୍ତ ସାଲବେଗ ‘ଆହେ ନୀଳ ଶଇଳ’, ବଳଦେବ ରଥଙ୍କ ‘ବାଧିଲା ଜାଣି କ୍ଷମାକର’ ଓ ବନମାଳୀଙ୍କର ‘କିଛି ମାଗୁ ନାହିଁ ତୋତେ’ ଆଦି ଅନେକ ସ୍ମରଣୀୟ ପଦ ପଂକ୍ତି ରହିଛି, ଯାହା ଜଗନ୍ନାଥଙ୍କ ସହ ଏକାମତ୍ ହେବାର ଏକ ଏକ ଅନ୍ତରଙ୍ଗ ଗୀତିଅର୍ଘ୍ୟ।
କବିତା କେବଳ ଆବେଗର କଥା କହେନି, ସେଥିରେ ଥାଏ ଆମତ୍ାର କଥା। କବିର ଆମତ୍ା ହେଉଛି ଐଶୀ ଚେତନା, ଯାହା ତା’ର ଭାବନାକୁ ନେଇଯାଏ ମହାଭାବର ମହାଦିଗନ୍ତ ଆଡ଼େ।
କବିଙ୍କୁ ତନ୍ମୟ କରେ ତା’ର ରହସ୍ୟମୟ ଭାବନିଷ୍ଠତା। ବିସ୍ମୟର ବିଷୟ ଆଧୁନିକ କାଳରେ ଜନଜୀବନ ବସ୍ତୁତାନ୍ତ୍ରିକତା ଓ ନିରୀଶ୍ୱରବାଦ ଆଡ଼କୁ ମୁହାଁଉଥିବା ସତ୍ତ୍ୱେ ପୂର୍ବପରି ଏବେ ବି ଜଗନ୍ନାଥଙ୍କୁ ନେଇ ଲେଖାଯାଉଛି ରାଶିରାଶି କବିତା। ମାତ୍ର ସେଥିରୁ ଅଧିକାଂଶ କବିତାରେ ଭକ୍ତି, ପ୍ରୀତି ଓ ପ୍ରତୀତି ଅପେକ୍ଷା କ୍ରୋଧ, ବିଦ୍ରୋହ ଓ ଜିଜ୍ଞାସାର ସ୍ବର ଅଧିକ ତୀବ୍ର। କେଉଁଠି ଜଗନ୍ନାଥଙ୍କ ପ୍ରତି ସଂଶୟ ଓ ତୀର୍ଯ୍ୟକ ଦୃଷ୍ଟିଭଙ୍ଗୀ ପ୍ରକାଶ ପାଇଛି ତ କେଉଁଠି କବି କଣ୍ଠରେ ବାରିହୋଇ ପଡ଼ିଛି ଶ୍ଳେଷ ଓ ବ୍ୟଙ୍ଗ। କେବଳ ଆବେଗ ନୁହେଁ, କବିତା ପାଇଁ ସାମାଜିକ ବାସ୍ତବତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ ତତ୍ତ୍ୱଭାରକୁ ପଛରେ ପକାଇ ତିଆରି ହୋଇଛି ଜଗନ୍ନାଥ କୈନ୍ଦ୍ରିକ କାବ୍ୟ ଚେତନାର ନୂଆ ସ୍ଥାପତ୍ୟ।
ରହସ୍ୟମୟ ଠାକୁର ଜଗନ୍ନାଥ ବହୁ ଦାର୍ଶନିକ ମତବାଦ ଓ ଧର୍ମୀୟ ଚିନ୍ତନର ସମନ୍ବିତ ପ୍ରତିଭୂ। ମୂଳତଃ ସେ ଆଦିବାସୀ (ଶବର) ଦେବତା। ସ୍କନ୍ଦ ପୁରାଣ ଅନୁସାରେ ବିଶ୍ୱାବସୁ ନାମକ ଶବର ରାଜାଙ୍କ ଦ୍ୱାରା ସେ ଗୋପନରେ ଓ ଅରଣ୍ୟ ଭିତରେ ପୂଜା ପାଉଥିଲେ ନୀଳମାଧବ ରୂପରେ। ପରବର୍ତ୍ତୀ ସମୟରେ ମାଳନର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ସେ ଅରଣ୍ୟରୁ ଆସି ଶ୍ରୀକ୍ଷେତ୍ରରେ ପୂଜା ପାଇବା ଫଳରେ ଦାରୁ ଉପାସନାରେ ପରିଣତ ହେଲା ଅରଣ୍ୟ ଚେତନାର ସହଜ ବୃକ୍ଷ ଉପାସନା। ଏହି ଅନ୍ତର୍ଦୃଷ୍ଟି ସମ୍ପନ୍ନ ଆଧ୍ୟାମତ୍ ଅନୁଭବରୁ ପ୍ରତିଷ୍ଠା ଲାଭକଲା ସାମ୍ୟ ଓ ମୈତ୍ରୀ ଚେତନା। ଶବର ଓ ବ୍ରାହ୍ମଣ ଉଭୟ ପରମ୍ପରାର ସମନ୍ବୟରେ ପରିପୁଷ୍ଟ ହେଲା ଜଗନ୍ନାଥ ସଂସ୍କୃତି। ଦୂର ହେଲା ଆର୍ଯ୍ୟ ଓ ଅନାର୍ଯ୍ୟ ପରମ୍ପରା ମଧ୍ୟରେ ଥିବା ମତଭେଦ। ଏହି ମୈତ୍ରୀ ଭାବନା ପ୍ରତିଷ୍ଠା ଅନ୍ତରାଳରେ ଥିବା ବିଦ୍ୟାପତି – ଲଳିତା ପ୍ରସଙ୍ଗକୁ କାବ୍ୟାୟିତ କରିବାକୁ ଯାଇ କବି ଦୀନକୃଷ୍ଣ ଦାସ ଲେଖିଛନ୍ତି – ବିଦ୍ୟାପତି ବ୍ରାହ୍ମଣ ଯେ ଦୂତ ପଣେ ଥିଲା/ଶବର ଝିଅକୁ ସେ ଯେ ପ୍ରଦାନ ହୋଇଲା। କବି ଦନେଇ ଦାସ ମଧ୍ୟ ଗୋପୀଭାଷାରେ ଗାଇଛନ୍ତି – ଥିଲା ଶବରିଣୀ ହସ୍ତେ ମାଣିକ/ତାହା ଚିହ୍ନି ଘେନିଗଲା (ବଣିକ) ଗଣିକ।
ଗହନବନରେ ପୂଜା ପାଉଥିବା ନୀଳମାଧବଙ୍କ ପାଖକୁ ବିଦ୍ୟାପତିଙ୍କୁ ବାଟ କଢ଼େଇ ନେଇଥିଲା ବିଶ୍ୱାବସୁଙ୍କ କନ୍ୟା ଲଳିତା। ଏହାକୁ କିମ୍ବଦନ୍ତୀୟ କହି କେବେ ଏଡାଇ ଯାଇନି ଆଧୁନିକ କବି। ବରଂ ବିଶ୍ୱାବସୁଙ୍କ କନ୍ୟା ଲଳିତାର ସହଯୋଗକୁ ସ୍ମରଣୀୟ ଓ ଶ୍ରୀମଣ୍ଡିତ କରିବାକୁ ଯାଇ କବି ସଚ୍ଚି ରାଉତରାୟ ତାଙ୍କର ସୋରିଷ ଫୁଲର ପଥ କବିତାରେ ତାହା ଲେଖିଛନ୍ତି ଏକ ଭିନ୍ନ ଢଙ୍ଗରେ – ”ଶଙ୍ଖକ୍ଷେତ୍ର ମହା ମାନବର/ମୁଁ ମାତ୍ର ନିମିତ୍ତ, ତୁମେ ମୋ ସଙ୍ଗିନୀ/କେଉଁ ଆଡେ ହାତଧରି ନେଉଛ ସୁନ୍ଦରୀ/କୁହ ମୋତେ ଖୋଲି।“
ଆକାଶର ଖୋଲାପଣ ପରି ଏହି ଅନ୍ତରଙ୍ଗ ଆଳାପରେ ଶବ୍ଦମୟ ହୋଇ ଉଠିଛି ଆର୍ଯ୍ୟ ଓ ଅନାର୍ଯ୍ୟର ମଧୁର ଆଲିଙ୍ଗନ ବା ଐକ୍ୟବୋଧର ଐଶ୍ୱର୍ଯ୍ୟପଣ। ମଣିଷର ସ୍ଥିତି, ଉନ୍ନତି ଓ ଆଧ୍ୟାମତ୍ିକତା ସହିତ ବୃକ୍ଷଜଗତ ଓତପ୍ରୋତ ଭାବେ ଜଡ଼ିତ। ପ୍ରାଣ ସଞ୍ଚାର ପାଇଁ ପ୍ରଶ୍ୱାସରେ ବାୟୁଠାରୁ ଖାଦ୍ୟ, ବସ୍ତୁ, ଆସବାସ ଆଦି ପ୍ରତ୍ୟେକ କ୍ଷେତ୍ରରେ ମଣିଷ ବୃକ୍ଷ ଉପରେ ନିର୍ଭରଶୀଳ। ତେଣୁ ଭାରତୀୟ ସଂସ୍କୃତିରେ ବୃକ୍ଷପୂଜା ପରମ୍ପରା ବହୁ ପ୍ରାଚୀନ। ମାଟିରୁ ବାହାରି ଜଳ ଓ ତାପ ପାଇଁ ଆକାଶ ଆଡ଼କୁ ବିସ୍ତାରିତ ହୋଇଥିବା ବୃକ୍ଷ ଭିତରେ ବିଶ୍ୱ ପ୍ରକୃତିର ମୌଳିକ ପ୍ରତ୍ୟୟକୁ ପ୍ରଥମେ ଆବିଷ୍କାର କରିଥିଲା ଏ ଦେଶର ଆଦିମ ଅଧିବାସୀ। ତାକୁ ଗଭୀର ଭାବେ ଅନୁପ୍ରାଣିତ କରିଥିଲା ବୃକ୍ଷର ବହୁମୁଖୀ ଉପକାରିତା ଓ ସହିଷ୍ଣୁତା। ତା’ର ଏହି ଅରଣ୍ୟ ଚେତନାରୁ ଆରମ୍ଭ ହେଲା ବୃକ୍ଷ ଉପାସନା। ଏହା କ୍ରମଶଃ ଦାରୁ ଉପାସନା ଓ ପରିଶେଷରେ ନୀଳାଦ୍ରି ମଣ୍ଡପରେ ଦାରୁବ୍ରହ୍ମ ଉପାସନା ନିମନ୍ତେ ଖଞ୍ଜାହେଲା ବିଧିବିଧାନ। ନୀଳାଦ୍ରି ବିହାରୀ ପରଂବ୍ରହ୍ମ ଜଗନ୍ନାଥଙ୍କୁ ଦାରୁ ଦେବତା ରୂପରେ ବନ୍ଦନା କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ‘ରସିକ ହାରାବଳି’ର ପ୍ରଥମ ଛାନ୍ଦରେ ଗାଇଲେ – ‘ଜୟ ଜଗନ୍ନାଥ ଦାରୁରୂପଧାରୀ/ନୀଳ ଗିରୀଶ ଗିରୀଶ ବନ୍ଦନୀୟ ହରି/ମହାବଳ ବଳ ଅବରୁଦ ଭଦ୍ରାଗଜ/ଗରୁଡ଼ାସନ ପୂଜ୍ୟ ଚତୁର୍ଭୁଜ।’
ଆଦିବାସୀର ଅରଣ୍ୟ ଚେତନା ପାଇଁ ଏକଦା ଜଙ୍ଗଲ ଥିଲା ସୁରକ୍ଷିତ। ତଥାକଥିତ ସଭ୍ୟ ମଣିଷର ସ୍ବାର୍ଥପରତା ଯୋଗୁ ଅରଣ୍ୟ ସମ୍ପଦ ଏବେ ସଙ୍କଟରେ। ବିକାଶ ନାଁରେ ପ୍ରତିଦିନ କଟାଯାଉଛି ଗଛ। ଧ୍ୱଂସ ପାଉଛି ବିସ୍ତୃତ ଅଞ୍ଚଳବ୍ୟାପୀ ଘଞ୍ଚ ଅରଣ୍ୟ। ଉଜୁଡ଼ି ଯାଉଛି ଅସୁମାରୀ ପଶୁପକ୍ଷୀଙ୍କ ପ୍ରାକୃତିକ ଆବାସସ୍ଥଳୀ। ତା’ର ପ୍ରଭାବରେ କ୍ଷୁବ୍‌ଧ ହେଉଛି ପ୍ରକୃତି। ଆଧୁନିକ କବିକୁ ଆଜି ଖୁବ୍‌ ମର୍ମାହତ କରିଛି ଏହି ପାରିବେଶିକ ବିପର୍ଯ୍ୟୟ। ତେଣୁ ସେ ଜଗନ୍ନାଥଙ୍କୁ ଦାରୁଦେବତା କହି ବନ୍ଦନା କରିବା ପରିବର୍ତ୍ତେ ବାଢି ଚାଲିଛି ଅଭିଯୋଗ। କବି ବେଣୁଧର ରାଉତଙ୍କ ଭାଷାରେ – ”ହେ ଜଙ୍ଗଲୀ ଠାକୁର/ଜଙ୍ଗଲ କୁଆଡ଼େ ଗଲା?/ ତୁମର ଶବରମାନେ କାହା ସଙ୍ଗେ କଥାଭାଷା ହେବେ/ତୁମ ଲାଗି ବାଟ ଚାହିଁ ଶବରୁଣୀ ବସିବ କେଉଁଠି?/କେଉଁଠୁ ଆସିବ ଭଲା ଚାଖିବାକୁ ତୁମଲାଗି/ଖଟା ମିଠା ଫଳ?“

ଡ. ପ୍ରଫୁଲ୍ଲ କୁମାର ସାହୁ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ:୬୩୭୧୬୪୨୪୬୪