ଇଟାନଗର,୨୩ା୯(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅରୁଣାଚଳପ୍ରଦେଶରେ ୫,୧୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିଛନ୍ତି। ସେଥିରେ ୨ଟି ବୃହତ୍ ଜଳବିଦ୍ୟୁତ୍ ପ୍ରକଳ୍ପ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି ଉକ୍ତ ଦଳ କ୍ଷମତାରେ ଥିବାବେଳେ କୌଣସି ବିକାଶମୂଳକ କାର୍ଯ୍ୟ ନ କରିବାରୁ ଉତ୍ତର-ପୂର୍ବାଞ୍ଚଳକୁ କ୍ଷତି ପହଞ୍ଚାଇଥିଲା ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଯେଉଁ ବିକାଶମୂଳକ କାର୍ଯ୍ୟ କଷ୍ଟସାଧ୍ୟ ତାହାକୁ କଂଗ୍ରେସ ଆଦୌ ନ କରି ଛାଡ଼ିଦେଉଥିଲା। କଂଗ୍ରେସର ଏହି ଅଭ୍ୟାସ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ପାଇଁ ବ୍ୟାପକ କ୍ଷତି ଘଟାଇଥିଲା। ଜଙ୍ଗଲ ଓ ପାର୍ବତ୍ୟାଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଏକ ଆହ୍ବାନ ହୋଇଥିବାରୁ କଂଗ୍ରେସ ଉକ୍ତ ଅଞ୍ଚଳକୁ ପଛୁଆ ଘୋଷଣା କରିବା ସହ ଭୁଲିଯାଉଥିଲା। ରାସ୍ତା ନିର୍ମାଣ ଅସମ୍ଭବ ବୋଲି ଯେଉଁ ଅଞ୍ଚଳକୁ ବିବେଚନା କରାଯାଉଥିଲା, ଏବେ ସେଠାରେ ଆଧୁନିକ ରାଜପଥ। ଯେଉଁ ସେଲା ଟନେଲ ଏକଦା ଚିନ୍ତାର ବାହାରେ ଥିଲା, ଏବେ ତାହା ଅରୁଣାଚଳର ଗର୍ବର ପରିଚୟ ପାଲଟିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।